ନମ୍ବର-୧ ସ୍ଥାନକୁ ଫେରିଲା ଭାରତ: ନ୍ୟୁଜିଲାଣ୍ଡକୁ ମୂଳପୋଛ କରିଦେଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜିରେ କ୍ଲିନ୍ ସୁଇପ୍ ହାସଲ କରିଛି ଟିମ୍ ଇଣ୍ଡିଆ । ପ୍ରଥମ ଦୁଇଟି ମ୍ୟାଚରେ ଜିତିସାରିଥିବା ଟିମ୍ ଇଣ୍ଡିଆ ଆଜି ଅନ୍ତିମ ମ୍ୟାଚରେ ବିଜୟୀ ହୋଇ ସିରିଜକୁ ଏକତରଫା ଭାବେ ୩-୦ରେ ପୋଛି ନେଇଛି । ଭାରତ ପ୍ରଥମେ ବ୍ୟାଟିଂ କରି ୩୮୫ ରନର ବିଶାଳ ସ୍କୋର ଛିଡ଼ା କରିଥିଲା । ଜବାବରେ ନ୍ୟୁଜିଲାଣ୍ଡ ୨୯୫ ରନରେ ଅଲଆଉଟ୍ ହୋଇଯାଇଥିଲା । ଏହି ବିଜୟ ପରେ ଦଳର ମନୋବଳ ପୂର୍ବାପେକ୍ଷା ଅଧିକ ମଜବୁତ ହୋଇ ପାରିଛି ।

ପ୍ରଥମେ ବ୍ୟାଟି କରି ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୩୮୫ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ଓ ଶୁବମନ ଗିଲ ଶତକୀୟ ପାଳି ଖେଳିଥିଲେ । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଅର୍ଦ୍ଧଶତକ ହାସଲ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଜ୍ୟାକବ ଡଫି ଓ ବ୍ଲେୟାର ଟିକ୍ନର ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ୩୮୬ ରନର ଟାର୍ଗେଟ ହାସଲ କରିବା ପାଇଁ ନ୍ୟୁଜିଲାଣ୍ଡ କଡ଼ା ସଂଘର୍ଷ କରିଥିବା ବେଳେ ୪୧.୨ ଓଭରରେ ୨୯୫ ରନରେ ସମସ୍ତ ୱିକେଟ ହରାଇଥିଲା । ଦଳ ପକ୍ଷରୁ ଡେଭନ କନୱେ ସର୍ବାଧିକ ୧୩୮ ରନ ସଂଗ୍ରହ କରି ଏକା ଲଢ଼େଇ କରିଥିଲେ ।

ଆଜି ଭାରତ ୯୦ ରନର ବଡ଼ ବ୍ୟବଧାନରେ ବିଜୟ ହାସଲ କରିଥିଲା । ଭାରତ ପକ୍ଷରୁ ଶାର୍ଦୁଲ ଠାକୁର ଓ କୁଳଦୀପ ଯାଦବ ୩ଟି ଲେଖାଏଁ ଓ ୟୁଜବେନ୍ଦ୍ର ଚହଲ ୨ଟି ୱିକେଟ ଅକ୍ତିଆର କରିଥିଲେ । ଆଜିର ଦିନଟି ଟିମ୍ ଇଣ୍ଡିଆ ପାଇଁ ବିଭିନ୍ନ ଦୃଷ୍ଟିକୋଟରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ଅଧିନାୟକ ରୋହିତ ଦୀର୍ଘ ୩ ବର୍ଷ ପରେ ଶତକ ହାସଲ କରିଥିବା ବେଳେ ଟିମ୍ ଇଣ୍ଡିଆ ଦିନିକିଆରେ ଏକନମ୍ବର ସ୍ଥାନକୁ ଫେରିଥିଲା । ଏହାପୂର୍ବରୁ ଭାରତ ଶ୍ରୀଲଙ୍କା ବିପକ୍ଷରେ ମଧ୍ୟ ଦିନିକିଆ ସିରିଜି୍ ବିଜୟୀ ହୋଇଥିଲା ।