Zoomରୁ ଛଟେଇ ହେବେ ୧୩୦୦ କର୍ମଚାରୀ, ଆର୍ଥିକ ମାନ୍ଦାବସ୍ଥା ପାଇଁ କମ୍ପାନୀର ବଡ଼ ଘୋଷଣା

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ ଭୟଙ୍କର ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି । ତେଣୁ ଏହାର ଭୟଙ୍କର ପ୍ରଭାବ ଟେକ ଜଗତକୁ ଗ୍ରାସ କରିଛି । ଏହା ମଧ୍ୟରେ ଫେସବୁକ, ଗୁଗଲ, ମାଇକ୍ରୋସଫ୍ଟ, ଆମାଜନ ପରି ବିଶ୍ୱର ବଡ଼ ବଡ଼ କମ୍ପାନୀମାନେ ସେମାନଙ୍କର କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର କରୁଛନ୍ତି । ତେବେ ଏହି ରେସରେ ସାମିଲ ହୋଇଛି ଆଉ ଏକ କମ୍ପାନୀ ।

ସାରା ବିଶ୍ୱରେ ଭୟଙ୍କର ଆର୍ଥିକ ସଙ୍କଟ ଦେଖାଦେଇଛି । ତେଣୁ ଏଥିରୁ ମୁକୁଳିବା ପାଇଁ କମ୍ପାନୀ ଏହି ପଦକ୍ଷେପ ନେଇଥିବା ସିଇଓ ଏରିକ ୟୁଆନ କହିଛନ୍ତି । ସେ ନିଜ ବ୍ଲଗରେ ଲେଖିଛନ୍ତି, ‘ବିଶ୍ୱସ୍ତରରେ ଅର୍ଥବ୍ୟବସ୍ଥାରେ ଅନିୟମିତାତା କାରଣରୁ ଏଭଳି ପଦକ୍ଷେପ ନେବାକୁ ପଡ଼ୁଛି ।’ ଜୁମ ୧୩୦୦ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି । ଏହା କମ୍ପାନୀର ମୋଟ କାର୍ଯ୍ୟବଳର ୧୫ ପ୍ରତିଶତ ଅଟେ । ଏରିକ କମ୍ପାନୀର ଅଫିସିଆଲ ୱେବସାଇଟରେ ଏ ବାବଦରେ ସୂଚନା ଦେଇଛନ୍ତି ।

ତେବେ ସିଇଓ ଏରିକଙ୍କ ଘୋଷଣା ପରେ ଏହାର ପ୍ରଭାବ ତ୍ୱରିତ ଭାବେ ପ୍ରତିଫଳିତ ହୋଇଛି । ଗତକାଲି ଜୁମର ଶେୟାରରେ ୮ ପ୍ରତିଶତ ବୃଦ୍ଧି ଘଟିଥିବା ଦେଖାଯାଇଥିଲା । କରୋନା ମହାମାରୀ ସମୟରେ ସମସ୍ତ ଟେକ କମ୍ପାନୀ ସହିତ ଜୁମରେ ଅଭିବୃଦ୍ଧି ଘଟିଥିଲା । ଯେତେବେଳେ ସାରା ଦୁନିଆ ଭାଇରସ କବଳରେ ରହିଥିଲା, ସେ ସମୟରେ ଜୁମର ବିଜିନେସ ଚରମସୀମାରେ ପହଞ୍ଚିଥିଲା । ସମସ୍ତେ ଘରେ ଓ ଅଫିସରେ ଜୁମକୁ ବହୁଳ ଭାବେ ବ୍ୟବହାର କରୁଥିଲେ ।