fbpx

ଚାଉଳ ଜୀବନର ଶସ୍ୟ, ଖାଦ୍ୟ ସୁରକ୍ଷାରେ ଧାନର ଭୂମିକା କ’ଣ ସମସ୍ତଙ୍କୁ ଜଣା : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କଟକ : ଚାଉଳ ଉତ୍ପାଦନ ଅର୍ଥନୀତିକୁ ସମୃଦ୍ଧ କରିଛି । ସର୍ବାଧିକ ଧାନ ଉତ୍ପାଦନ କରି ଭାରତ ଅନ୍ୟ ଦେଶକୁ ଖାଦ୍ୟ ଯୋଗାଉଛି । ବିଶ୍ୱରେ ଧାନ ଉତ୍ପାଦନରେ ଭାରତର ସ୍ଥାନ ପ୍ରଥମ ବୋଲି କଟକ ବିଦ୍ୟାଧରପୁର ସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ରର ଦ୍ବିତୀୟ ଇଣ୍ଡିଆନ ରାଇସ୍ କଂଗ୍ରେସ ଉଦଘାଟନ ଅବସରରେ ଉଦବୋଧନ ଦେଇ କହିଛନ୍ତି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆହୁରି କହିଛନ୍ତି ଯେ, ଚାଉଳ ଜୀବନର ଶସ୍ୟ । ବିଭିନ୍ନ ପର୍ବପର୍ବାଣୀରେ ଧାନର ସ୍ଥାନ ଅନସ୍ୱୀକାର୍ଯ୍ୟ । ଧାନ ପାଇଁ ଅନୁକୂଳ ପରିବେଶ ରହିବା ଆବଶ୍ୟକ । ଜଳବାୟୁ ପରିବର୍ତ୍ତନ କୃଷ କାର୍ଯ୍ୟରେ ବାଧା ସୃଷ୍ଟି କରିଛି । ପ୍ରାକୃତିକ ବିପର୍ଯ୍ୟସ୍ତ ଧାନ ଉତ୍ପାଦନରେ ବାଧକ ସାଜିଛି । ଏଭଳି ପରିସ୍ଥିତି ବୈଜ୍ଞାନିକମାନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ଅମଳ ପାଇଁ ଅଧିକ ମାତ୍ରାରେ ସାର ପ୍ରୟୋଗ କରିବା ଦ୍ୱାରା ମାଟର ମାନି ନଷ୍ଟ ହେଉଛି । ଇକୋ ଫ୍ରେଣ୍ଡଲି ଧାନ ପାଇଁ ବୈଜ୍ଞାନିକଙ୍କ ଉଦ୍ୟମ ଲୋଡା । ଆମ ବୈଜ୍ଞାନିକମାନେ ଏଥିପାଇଁ କାର୍ଯ୍ୟ କରିବେ ବୋଲି ମୋର ଆଶା । ଯୁବ ବୈଜ୍ଞାନିକମାନଙ୍କୁ ଦେଖି ମୁଁ ବହୁତ ଖୁସି । ଖାଦ୍ୟ ସୁରକ୍ଷାରେ ଧାନର ଭୂମିକା କ’ଣ ସମସ୍ତଙ୍କୁ ଜଣା ।

ଅଭିଭାଷଣ ଶେଷରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କେନ୍ଦ୍ର ସରକାରଙ୍କୁ ପ୍ରସଂଶା କରିଛନ୍ତି । ଚାଷୀ ଓ ଚାଷ ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ପ୍ରଧାନମନ୍ତ୍ରୀ କୃଷକ ଯୋଜନାରେ ଅନେକ ଚାଷୀ ଉପକୃତ ହୋଇଛନ୍ତି ।

ଦୁଇ ଦିନିଆ ଓଡିଶା ଗସ୍ତର ଦ୍ୱିତୀୟ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଟକରେ ପହଞ୍ଚି ବିଦ୍ୟାଧରପୁର ସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ରର ଦ୍ବିତୀୟ ଇଣ୍ଡିଆନ ରାଇସ୍ କଂଗ୍ରେସ ଉଦଘାଟନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଏହି କାର୍ୟ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର, ରାଜ୍ୟ କୃଷି, ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରମୁଖ ବି ଉପସ୍ଥିତ ଅଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଓ ରାଜ୍ୟପାଳ କେତେକ ପୁସ୍ତକ ଉନ୍ମୋଚନ କରିଥିଲେ।

ଆଜି ଠାରୁ ୪ ଦିନ ଯାଏ ଅର୍ଥାତ୍ ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ରାଇସ କଂଗ୍ରେସରେ ଦେଶ ବିଦେଶରୁ ପ୍ରାୟ ୩୫୦ ଜଣ କୃଷି ବୈଜ୍ଞାନିକ ଯୋଗ ଦେଇଛନ୍ତି। ଫିଲିପାଇନ୍ସ, ଆଫ୍ରିକା ସମେତ କେତେକ ରାଷ୍ଟ୍ରର ବୈଜ୍ଞାନିକ ଏଥିରେ ଅଂଶ ଗ୍ରହଣ କରିଛନ୍ତି।

ସୂଚନାଯୋଗ୍ୟ, ଶନିବାର ସକାଳେ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରରେ ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କରିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଟକ ଅଭିମୁଖେ ଯାତ୍ରା କରିଥିଲେ । ଦ୍ରୌପଦୀ ମୁର୍ମୁଙ୍କ କଟକ ଗସ୍ତକୁ ଆଖି ଆଗରେ ରଖି ଡିସିପି ପିନାକ ମିଶ୍ରଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ବିଭିନ୍ନ ସ୍ଥାନରେ ୨୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା।

ଜାତୀୟ ଧାନ ଗବେଷଣା କେନ୍ଦ୍ରରେ କାର୍ଯ୍ୟକ୍ରମ ଶେଷ ହେବା ମାତ୍ରେ ରାଷ୍ଟ୍ରପତି ସେଠାରୁ ବିମାନ ବନ୍ଦର ଅଭିମୁଖେ ଯାତ୍ରା କରିଛନ୍ତି । ସେଠାରୁ ସିଧାସଳଖ ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି ।

Get real time updates directly on you device, subscribe now.