fbpx

ରାଜ୍ୟରେ ଆରମ୍ଭ ହେବ ପଛୁଆ ବର୍ଗ ସର୍ଭେ: ଜୁଲାଇ ୧୨ ସୁଦ୍ଧା ସରିବ କାର୍ଯ୍ୟ, ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମକୁ OBC ସଚିବଙ୍କ ଚିଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିବ । ରାଜ୍ୟରେ ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ପଛୁଆ ବର୍ଗ (ଓବିସି) ସର୍ଭେ । ରାଜ୍ୟରେ ପାଖାପାଖି ୫୪ ପ୍ରତିଶତ ଲୋକ ଓବିସି ବର୍ଗର ହୋଇଥିବା ବେଳେ ଆସନ୍ତା ୨୦୨୪ ନିର୍ବାଚନ ପୂର୍ବରୁ ଏହା ଶାସକ ଦଳ ପାଇଁ ଏକ ବଡ଼ ବ୍ରହ୍ମାସ୍ତ୍ର ଭାବେ ଉଭା ହୋଇପାରେ । ଏହି ସର୍ଭେ କାର୍ଯ୍ୟ ପାଇଁ ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ ହୋଇ ଆସନ୍ତା ଜୁଲାଇ ୧୨ ତାରିଖ ସୁଦ୍ଧା ଏହାକୁ ଶେଷ କରାଯିବ ବୋଲି ଜଣାପଡ଼ିଛି ।

କୋଭିଡ-୧୯ ମହାମାରୀ କାରଣରୁ ଗତ ୨୦୨୧ ମସିହା ମେ ମାସରୁ ଏହି ସର୍ଭେ କାର୍ଯ୍ୟ ସ୍ଥଗିତ ରହିଥିଲା । ତେଣୁ ପୁଣି ଥରେ ଏହି କାର୍ଯ୍ୟ ଆରମ୍ଭ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ସର୍ଭେ ମାଧ୍ୟମରେ ଓବିସି ବର୍ଗର ଲୋକଙ୍କର ସାମାଜିକ ଓ ଅର୍ଥନୈତିକ ସ୍ଥିତି ବିଷୟରେ ଅନୁଧ୍ୟାନ କରାଯିବ । ଏଥିପାଇଁ ବିଭିନ୍ନ ଗାଇଡଲାଇନ୍ ସହ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମକୁ ରାଜ୍ୟ ପଛୁଆ ବର୍ଗ କମିଶନ ସଦସ୍ୟ ସଚିବ ଚିଠି ଲେଖିଛନ୍ତି ।

ଏହି ସର୍ଭେରେ ରାଜ୍ୟର ୩୦ଟି ଜିଲ୍ଲାର ୩୧୪ଟି ବ୍ଲକ, ୧୧୪ଟି ପୌରାଞ୍ଚଳର ପଛୁଆ ବର୍ଗର ଲୋକଙ୍କ ସ୍ଥିତି ଉପରେ ଅନୁଧ୍ୟାନ କରାଯିବ । ଜିଲ୍ଲାମାନଙ୍କରେ ଜିଲ୍ଲାପାଳ ଓ ମହାନଗରଗୁଡ଼ିକରେ କମିଶନର ଦାୟିତ୍ୱ ବହନ କରିବେ । ତେଣୁ ପ୍ରତି ଜିଲ୍ଲାର ସର୍ଭେ ପରିଚାଳନା ଯୋଜନା ପ୍ରସ୍ତୁତ କରି ଚଳିତ ମାସ ପ୍ରଥମ ସପ୍ତାହରେ କମିଶନଙ୍କ ନିକଟକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସେଥିପାଇଁ ୬ ଜଣ ଅତିରିକ୍ତ ସଚିବ ପାହ୍ୟାର ଅଫିସରଙ୍କୁ ୩୦ଟି ଜିଲ୍ଲାର ଜୋନାଲ ଅଫିସର ଦାୟିତ୍ୱ ଦିଆଯାଇଛି । ଆସନ୍ତା ସପ୍ତାହରେ ବ୍ଲକ ସ୍ତରରେ ସୁପରଭାଇଜର ଓ ଗଣନାକାରୀଙ୍କ ପାଇଁ ଟ୍ରେନିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପୂର୍ବରୁ ଚିହ୍ନଟ ହୋଇଥିବା ପ୍ରାଥମିକ ସ୍କୁଲ, ସରକାରୀ ଅନୁଷ୍ଠାନ, ସୁଲଭ ବିକ୍ରୟ କେନ୍ଦ୍ରମାନଙ୍କରେ ସର୍ଭେ କେନ୍ଦ୍ର ପ୍ରତିଷ୍ଠା କରାଯିବ । ପ୍ରତି କେନ୍ଦ୍ରରେ ୨-୫ ଜଣ ଗଣନାରୀ ରହିବେ । ପ୍ରତି କେନ୍ଦ୍ରରେ ବିଦ୍ୟୁତ ଓ ଇଣ୍ଟରନେଟ ବ୍ୟବସ୍ଥା ରହିବ ।

Get real time updates directly on you device, subscribe now.