‘ହିନ୍ଦୁ ବିଶ୍ୱାସକୁ ରକ୍ଷା କରିବା’ ପାଇଁ ବଡ଼ ନିଷ୍ପତି, ୩୦୦୦ ମନ୍ଦିର ନିର୍ମାଣ କରିବେ ସରକାର

ନୂଆଦିଲ୍ଲୀ: ‘ହିନ୍ଦୁ ଧର୍ମ ତଥା ବିଶ୍ୱାସକୁ ରକ୍ଷା’ କରିବା ପାଇଁ ଆନ୍ଧ୍ରପ୍ରଦେଶ ସରକାର ବଡ଼ ନିଷ୍ପତି ନେଇଛନ୍ତି । ପ୍ରତ୍ୟେକ ଜିଲ୍ଲାରେ ଏକ ମନ୍ଦିର ଅଛି କି ନାହିଁ ନିଶ୍ଚିତ କରିବାକୁ ସରକାର ରାଜ୍ୟରେ ୩ ହଜାର ମନ୍ଦିର ନିମାଣ କରିବାକୁ ନିଷ୍ପତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ନିର୍ଦ୍ଦେଶରେ ହିନ୍ଦୁ ଧର୍ମର ସୁରକ୍ଷା ତଥା ପ୍ରଚାର ପାଇଁ ଏହି ପଦକ୍ଷେପ ଘୋଷଣା କରାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ କୋଟୁ ସତ୍ୟନାରାୟଣ କହିଛନ୍ତି ।

ହିନ୍ଦୁ ବିଶ୍ୱାସର ସୁରକ୍ଷା ତଥା ପ୍ରସାର ପାଇଁ ଦୁର୍ବଳ ଶ୍ରେଣିର ସ୍ଥାନୀୟ ଅଞ୍ଚଳରେ ହିନ୍ଦୁ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ବନ୍ଦୋବସ୍ତ ମନ୍ତ୍ରୀ ଶ୍ରୀ ସତ୍ୟନାରାୟଣ ମଙ୍ଗଳବାର ଦିନ ଏକ ବିବୃତ୍ତିରେ କହିଛନ୍ତି । ଏଥି ପାଇଁ ତିରୁମାଲା ତିରୁପତି ଦେବସ୍ତାନମ୍ସର ଶ୍ରୀ ବାଣୀ ଟ୍ରଷ୍ଟ ମନ୍ଦିର ନିର୍ମାଣ ପାଇଁ ପ୍ରତ୍ୟେକଙ୍କୁ ୧୦ ଲକ୍ଷ ଟଙ୍କା ଆବଣ୍ଟନ କରିଛନ୍ତି । ‘ହିନ୍ଦୁ ବିଶ୍ୱାସର ସୁରକ୍ଷା’ ପାଇଁ ଆନ୍ଧ୍ରପ୍ରଦେଶରେ ୩୦୦୦ ମନ୍ଦିର ନିର୍ମାଣ ହେବ । ବର୍ତ୍ତମାନ ୧,୩୩୦ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଛି, ଏହି ତାଲିକାରେ ଆଉ ୧,୪୬୫ ଯୋଗ କରାଯାଇଛି ।

ସେହିଭଳି କିଛି ବିଧାୟକଙ୍କ ଅନୁରୋଧ କ୍ରମେ ଆହୁରି ୨୦୦ ଟି ନିର୍ମାଣ କରାଯିବ । ଅବଶିଷ୍ଟ ମନ୍ଦିର ନିର୍ମାଣ ଅନ୍ୟ ସ୍ୱେଚ୍ଛାସେବୀ ସଂଗଠନର ସହଯୋଗରେ କରାଯିବ ବୋଲି ସେ କହିଛନ୍ତି । ମନ୍ତ୍ରୀଙ୍କ କହିବାନୁସାରେ, ବନ୍ଦୋବସ୍ତ ବିଭାଗର ତତ୍ତ୍ୱାବଧାନରେ ୯୭୮ ମନ୍ଦିର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ଭାବେ ଚାଲିଥିବାବେଳେ ପ୍ରତି ୨୫ ମନ୍ଦିରର କାର୍ଯ୍ୟ ସହକାରୀ ଇଞ୍ଜିନିୟରଙ୍କୁ ଦାୟିତ୍ୱ ଦିଆଯାଇଛି । ଏହା ସହିତ କିଛି ମନ୍ଦିରକୁ ପୁନର୍ଜୀବିତ କରିବା ପାଇଁ ତଥା ମନ୍ଦିରରେ ରୀତିନୀତି ପାଇଁ ଆବଣ୍ଟିତ ୨୭୦ କୋଟି ସିଜିଏଫ୍ ପାଣ୍ଠି ମଧ୍ୟରୁ ୨୩୮ କୋଟି ପାଣ୍ଠି ପ୍ରଦାନ କରାଯାଇଛି ।