fbpx

ରାଜ୍ୟର ୧୪୭ଟି ନିର୍ବାଚନ ମଣ୍ଡଳୀରେ ଖୋଲିବ ‘ଆମ ହସ୍ପିଟାଲ’: ୫ ହଜାର ଡାକ୍ତର ଓ ୯ ହଜାର ପାରାମେଡିକାଲ ଷ୍ଟାଫଙ୍କୁ ଦିଆଯିବ ନିଯୁକ୍ତି-ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଗୁରୁତ୍ୱ ଦେଇ ଆସିଛନ୍ତି । ତେବେ ସେଥିପାଇଁ ରାଜ୍ୟର ୧୪୭ଟି ନିର୍ବାଚନ ମଣ୍ଡଳୀରେ ‘ଆମ ହସ୍ପିଟାଲ’ ଖୋଲିବ । ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ରେ ୫ ହଜାର ଏମବିବିଏସ ଡାକ୍ତର ଓ ୯ ହଜାର ପାରାମେଡିକାଲ ଷ୍ଟାଫଙ୍କୁ ନିଯୁକ୍ତି ଦିଆଯିବ । ସମସ୍ତ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଆସନ୍ତାବର୍ଷ ଶେଷ ସୁଦ୍ଧା ଏହି ନିଯୁକ୍ତି ଦିଆଯିବ ।

ତେବେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି । ପୂର୍ବରୁ ୩୦ ମିନିଟରେ ଆମ୍ବୁଲାନ୍ସ ପହଞ୍ଚୁଥିବା ବେଳେ ଏବେ ମାତ୍ର ୨୦ ମିନିଟରେ ପହଞ୍ଚିବ । ଡାକ୍ତର ଓ କର୍ମଚାରୀମାନେ ଠିକ୍ ସମୟରେ ଡାକ୍ତରଖାନାରେ ପହଞ୍ଚୁନଥିବା ନେଇ ପୂର୍ବରୁ ଅଭିଯୋଗ ଆସୁଥିଲା । ସେଥିପାଇଁ ଏବେ ସେମାନଙ୍କର ଉପସ୍ଥାନ ଯାଞ୍ଚ ପାଇଁ ‘ଆଧାର ଏନାବଲ ବାୟୋମେଟ୍ରିକ’ ସିଷ୍ଟମ କାର୍ଯ୍ୟକାରୀ ହେବ ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବଜେଟ ମୁଖ୍ୟାଂଶ ସମ୍ପର୍କରେ ସୂଚନା ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, ଚଳିତ ଆର୍ଥିକ ବର୍ଷରେ କଳାହାଣ୍ଡି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବା ସହ ପରବର୍ତ୍ତୀ ସମୟରେ ଯାଜପୁର, ଫୁଲବାଣୀ ଓ ତାଳଚେର ମେଡିକାଲ କଲେଜ କାର୍ଯ୍ୟ ସମାପ୍ତ ନେଇ ଲକ୍ଷ୍ୟ ରଖାଯାଇଛି । ରାଜ୍ୟର ସରକାରୀ ହସ୍ପିଟାଲଗୁଡ଼ିକରେ ସ୍ୱାସ୍ଥ୍ୟ ସୁବିଧା ମାଗଣାରେ ଉପଲବ୍ଧ ହେଉଥିବାରୁ ଆୟୁଷ୍ମାନ ଭାରତ ଯୋଜନାରେ ଘରୋଇ ହସ୍ପିଟାଲ ଚିକିତ୍ସାକୁ ପ୍ରାଥମିକତା ଦିଆଯିବ ।

ଆମ ହସ୍ପିଟାଲ ପାଇଁ ଚଳିତ ବଜେଟରେ ୫୦ କୋଟି ବ୍ୟୟବରାଦ କରାଯାଇଛି । ଗତବର୍ଷ ତୁଳନାରେ ଚଳିତ ବଜେଟରେ ରାଜ୍ୟ ସରକାର ସ୍ୱାସ୍ଥ୍ୟ ବଜେଟରେ ୨୭ ପ୍ରତିଶତ ଅଧିକ ବ୍ୟୟ ବରାଦ କରିଛନ୍ତି । ଗତ ୫ ବର୍ଷ ମଧ୍ୟରେ ୪ ହଜାର ଡାକ୍ତର, ୩ ବର୍ଷ ମଧ୍ୟରେ ୯ ହଜାରରୁ ଅଧିକ ଷ୍ଟାଫ୍ ନର୍ସ ଓ ପାରାମେଡିକାଲ ଷ୍ଟାଫଙ୍କୁ ନିଯୁକ୍ତି ଦେଇଛନ୍ତି । ସେଥିପାଇଁ ୨୨୯ କୋଟି ଟଙ୍କାର ଅତିରିକ୍ତ ଅର୍ଥ ବ୍ୟୟବରାଦ କରାଯାଇଛି ।

Get real time updates directly on you device, subscribe now.