fbpx

କ୍ରିଜ ବାହାରେ ଥିଲେ ବ୍ୟାଟ୍ସମ୍ୟାନ, ରନ ଆଉଟ ପରେ ବି ମାନିଲେନି ଅମ୍ପାୟାର: କାହିଁକି ଏମିତି ନିଷ୍ପତ୍ତି?

ନୂଆଦିଲ୍ଲୀ: କ୍ରିକେଟକୁ ଅନିଶ୍ଚିତତାର ଖେଳ ବୋଲି କୁହାଯାଏ । କାରଣ ଅଧିକାଂଶ ମ୍ୟାଚରେ କିଛି ନା କିଛି ଅଜବ ଘଟଣା ଘଟୁଥିବାର ଦେଖିବାକୁ ମିଳେ । ତେବେ ଏମିତି ଏକ ଅଜବ ଘଟଣା ଦେଖାଯାଇଛି ନ୍ୟୁଜିଲାଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦିନିକିଆ ମ୍ୟାଚରେ । ବ୍ୟାଟ୍ସମ୍ୟାନ ସ୍ପଷ୍ଟ ଭାବରେ ରନ୍ ଆଉଟ ହୋଇଥିବା ଦେଖାଯାଉଥିବା ବେଳେ ଏହାକୁ ଗ୍ରହଣ କରି ନାହାନ୍ତି ଅନ୍-ଫିଲ୍ଡ ଅମ୍ପୟାର । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

ନ୍ୟୁଜିଲାଣ୍ଡ-ଶ୍ରୀଲଭ୍କା ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଏଭଳି ଘଟଣା କ୍ୟାମେରାରେ ରେକର୍ଡ ହୋଇଛି । ଶ୍ରୀଲଙ୍କା ଦଳ ବ୍ୟାଟିଂ କରିବା ସମୟରେ ଚମିକା କରୁଣାରତ୍ନେ ରନ୍ ଆଉଟ ହେଇଯାଇଥିଲେ । କିନ୍ତୁ ଅମ୍ପାୟାର ଏହାକୁ ଆଉଟ ବୋଲି ଘୋଷଣା କରିନାହାନ୍ତି । ପାଳିର ୧୮ତମ ଓଭରରେ କରୁଣାରତ୍ନେ ମିଡ୍ ଅନ୍ ଦିଗରେ ଶଟ୍ ଖେଳିଥିଲେ ଏବଂ ଦ୍ୱିତୀୟ ରନ୍ ନେବା ପାଇଁ ଚେଷ୍ଟା କରୁଥିଲେ । ବଲ କଲେକ୍ଟ କରି ବ୍ୟାଟ୍ସମ୍ୟାନ କ୍ରିଜରେ ପହଞ୍ଚିବା ପୂର୍ବରୁ ଏହାକୁ ୱିକେଟରେ ଲଗାଇ ଦେଇଥିଲେ ବୋଲର । କିନ୍ତୁ ଅମ୍ପାୟାର ଏହାକୁ ରନ୍ ଆଉଟ୍ ବୋଲି ଗ୍ରହଣ କରି ନାହାନ୍ତି । କାରଣ ୱିକେଟର ବେଲ୍ ଲାଇଟ ଜଳି ନଥିଲା । ତେଣୁ ଅମ୍ପାୟାର ଏହାକୁ ଆଉଟ ଘୋଷଣା କରି ନଥିଲେ ।

ସେପଟେ କରୁଣାରତ୍ନେ ମଧ୍ୟ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ବୋଲର ପ୍ରଥମ ବେଲ ହଟାଇବା ବେଳେ ଏହାର ଲାଇଟ ଜଳି ନଥିଲା, କିନ୍ତୁ ଦ୍ୱିତୀୟ ବେଲ ହଟାଇବା ପରେ ଏହାର ଲାଇଟ ଜଳିଥିବା ଦେଖାଯାଇଛି । ଏଥିପାଇଁ କାହାକୁ ଦାୟୀ କରାଯିବ ? ପ୍ରକୃତରେ କ୍ରିକେଟରେ ବ୍ୟବହୃତ ହେଉଥିବା ଏହି ବେଲ୍ ଚାର୍ଜ କରାଯାଇଥାଏ । କିନ୍ତୁ ଏହି ମ୍ୟାଚ ପୂର୍ବରୁ ଏହା ଚାର୍ଜ ହୋଇ ନଥିବାରୁ ବେଲ୍ ଜଳି ନଥିଲା । ଏହି କାରଣ ଯୋଗୁଁ ଚମିକା କରୁଣାରତ୍ନେ ମ୍ୟାଚରେ ଏକ ନୂଆ ଜୀବନ ପାଇଥିଲେ । ସେପଟେ ଏହି ଘଟଣାକୁ ନ୍ୟୁଜିଲାଣ୍ଡ ଫ୍ୟାନ୍ସ ଅନ୍ୟାୟ ବୋଲି କହିଛନ୍ତି ।

Get real time updates directly on you device, subscribe now.