fbpx

ଭଙ୍ଗା ହେଲା ଇନ୍ଦୋରର ସେହି ମନ୍ଦିର , ଯେଉଁଠି ରାମନବମୀ ଦିନ କୂଅରେ ପଡି ମରିଥିଲେ ୩୬ ଜଣ

AAKASH

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରର ବେଲେଶ୍ୱର ମହାଦେବ ମନ୍ଦିରରେ ଅଘଟଣ ଘଟିବା ପରେ ପ୍ରଶାସନର ଚେତା ପଶିଲା । ବେଆଇନ ନିର୍ମାଣକୁ ଭାଙ୍ଗିବାକୁ ସୋମବାର ସକାଳେ ମ୍ୟୁନିସିପାଲିଟି କର୍ପୋରେସନ ଅଣ୍ଟା ଭିଡିଛି । ତେବେ ଏହି ମନ୍ଦିର ଉଚ୍ଛେଦକୁ ବଜରଙ୍ଗ ଦଳ କର୍ମୀମାନେ ବିରୋଧ କରୁଛନ୍ତି ।

ସୂଚନାଯୋଗ୍ୟ, ରାମ ନବମୀ ଦିନ ମନ୍ଦିର ନିକଟରେ ଥିବା ଏକ କୂଅର ସ୍‌ଲାପ୍ ଭୁଶୁଡ଼ି ପଡିଥିଲା । କୂଅ ମଧ୍ୟକୁ ବହୁତ ଶ୍ରଦ୍ଧାଳୁ ଖସି ପଡିଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇଥିଲା ହେଲେ ସେତେବେଳକୁ ଅନେକଙ୍କ ମୃତ୍ୟୁ ହୋଇସାରିଥିଲା । ଜୀବିତ ଓ ମୃତକଙ୍କ କୂଆରୁ ଉଦ୍ଧାର କରାଯାଇଥିଲା । ଏହି ଦୁର୍ଘଟଣାରେ ସର୍ବମୋଟ ୩୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୮ ଜଣ ଆହତ ହୋଇଥିଲେ।

ଏହି ଅଘଟଣ ପରେ ନଗର ନିଗମ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । ଗତକାଲି ରାତି ୧୨ଟାରେ ମନ୍ଦିର ଭଙ୍ଗା ହେବାକୁ ନେଇ ନୋଟିସ୍ ମାରିଥିଲେ । ମଧ୍ୟରାତ୍ରିରେ ଜେସିବି ଡମ୍ପରମାନଙ୍କୁ ମଧ୍ୟ ଡକାଯାଇଥିଲା । ସୋମବାର ସକାଳ ୫ ଟାରେ ବେଲେଶ୍ୱର ମହାଦେବ ମନ୍ଦିରରେ ପହଞ୍ଚି ମ୍ୟୁନିସିପାଲିଟି କର୍ପୋରେସନର କର୍ମଚାରୀମାନେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଥିଲେ ।

ମନ୍ଦିର ଉଚ୍ଛେଦ ସମୟରେ ଗଣମାଧ୍ୟମକୁ ମଧ୍ୟ ପ୍ରବେଶ ବନ୍ଦ କରାଯାଇଥିଲା। ଏହି ସମୟରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ପ୍ରତ୍ୟେକ ଘର ସାମ୍ନାରେ ପୋଲିସ ଉପସ୍ଥିତ ଥିଲା। ପୂର୍ବରୁ ନିର୍ମାଣାଧୀନ ମନ୍ଦିରର କାନ୍ଥ ଭାଙ୍ଗି ଯାଇଥିଲା। ତା’ପରେ ମୂର୍ତ୍ତିଗୁଡ଼ିକୁ ମନ୍ଦିରରୁ ହଟାଇ ଦିଆଗଲା। ପ୍ରଶାସକ ଦଳ ମୂର୍ତ୍ତିଗୁଡ଼ିକୁ ଏକ କାରରେ ନେଇ ଯାଉଛନ୍ତି।

Get real time updates directly on you device, subscribe now.