ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସହିତ ଟୋକିଓରେ ନବୀନ ପଟ୍ଟନାୟକ , ଅଧିକ ପୁଞ୍ଜିନିବେଶ ନେଇ ଚାଲିଛି ଆଲୋଚନା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ ଗସ୍ତରେ ଯାଇଛନ୍ତି । ଭାରତର ରାଷ୍ଟ୍ରଦୂତ ଶିବି ଜର୍ଜ ତାଙ୍କୁ ସ୍ବାଗତ କରିଛନ୍ତି । ଓଡ଼ିଶାରେ ପୁଞ୍ଜିନିବେଶ ସୁଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସହିତ ଟୋକିଓରେ ପହଞ୍ଚିଛନ୍ତି। ସେଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ତାଙ୍କର ଏହି ଗସ୍ତ ଓଡ଼ିଶା ଓ ଜାପାନ ମଧ୍ୟରେ ପାରସ୍ପରିକ ସଂପର୍କ ବୃଦ୍ଧି କରିବ ବୋଲି ବିଶ୍ବାସ ରହିଛି।

ମୁଖ୍ୟମନ୍ତ୍ରୀଙ୍କ ସହ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା, ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ପ୍ରମୁଖ ସଚିବ ମନୋଜ କୁମାର ମିଶ୍ର, ଇପିକଲ୍ ପରିଚାଳନା ନିର୍ଦ୍ଦେଶକ ଭୂପେନ୍ଦର ପୁନିଆ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ ପାଣ୍ଡିଆନ, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭିନୀଲ କ୍ରିଷ୍ଣା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତରେ ଯାଇଛନ୍ତି ।

ଏହାବାଦ୍ ଇସ୍ପାତ, ଆଲୁମିନିୟମ, ବୟନଶିଳ୍ପ, ଖାଦ୍ୟ ଏବଂ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ, ସବୁଜ ହାଇଡ୍ରୋଜେନ ଓ ସବୁଜ ଆମୋନିଆ କ୍ଷେତ୍ରର ଉଦ୍ୟୋଗୀମାନେ ଜାପାନ ଗସ୍ତରେ ଯାଇଛନ୍ତି। ସେମାନେ ଜାପାନର ଶିଳ୍ପସଂସ୍ଥା ସହ ଓଡ଼ିଶାରେ ବ୍ୟବସାୟ ପାଇଁ ଥିବା ସୁବିଧା ସୁଯୋଗ ବିଷୟରେ ଆଲୋଚନା କରିବେ। ଆଜି ମୁଖ୍ୟମନ୍ତ୍ରୀ ନିପନ୍ ଷ୍ଟିଲ୍ କର୍ପୋରେସନର ପ୍ରତିନିଧି ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ଇଜି ହାସିମୋଟୋଙ୍କୁ ଭେଟି ଏନଏସସି ଏବଂ ଓଡ଼ିଶା ସରକାରଙ୍କ ସହଯୋଗ ଉପରେ ଆଲୋଚନା କରିବେ।