ଓଡ଼ିଶାର ସମସ୍ତ ଦୋକାନ ଓ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଓଡ଼ିଆରେ ନାମ ଫଳକ ଲେଖିବା ବାଧ୍ୟତାମୂଳକ, ଖିଲାପ କଲେ ଗଣିବେ ଜୋରିମାନା
ଭୁବନେଶ୍ୱର: ଏଣିକି ସମସ୍ତ ଦୋକାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନରେ ଲାଗିବ ଓଡ଼ିଆ ନାମ ଫଳକ। ରାଜ୍ୟ ସରକାର ପୁର୍ବରୁ ଏହି ନିଷ୍ପତି ନେଇଥିବା ବେଳେ ଏବେ ଏହାକୁ ବାଧ୍ୟତାମୂଳକ କରାଯାଇଛି। ଏନେଇ ରାଜ୍ୟ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ଦ୍ୱାରା ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଅଧିନିୟମ ୧୯୫୬ରେ ଆବଶ୍ୟକ ସଂଶୋଧନ କରାଯାଇଛି । ତେବେ ସରକାରଙ୍କ ସୂଚନା ଅନୁଯାୟୀ ଏଯାବତ ପୌରାଞ୍ଚଳରେ ୫୨ ହଜାର ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ମଧ୍ୟରୁ ପ୍ରାୟ ୪୭ ହଜାର ପ୍ରତିଷ୍ଠାନରେ ଓଡ଼ିଆ ଫଳକ ଲାଗିଛି । ଏବେ ଏହି ନିର୍ଦ୍ଦେଶର ଖିଲାପ ହେଲେ ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ବିରୁଦ୍ଧରେ ମକଦ୍ଦମା ସହିତ ମୋଟା ଅଙ୍କର ଜୋରିମାନା ଲଗାଇବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ।
ଗୁରୁବାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବସିଥିଲା । ଏହି ବୈଠକରେ ପରିବର୍ତ୍ତିତ ନିୟମର କଡ଼ାକଡ଼ି ପାଳନ ନେଇ ନିଷ୍ପତି ହୋଇଛି । ଏଥି ନିମନ୍ତେ ଶ୍ରମ ଆୟୁକ୍ତ ଓଡ଼ିଶାର ସମସ୍ତ ଦୋକାନ ଓ ବାନିଜ୍ୟିକ ପ୍ରତିଷ୍ଠାନ ଗୁଡ଼ିକରେ ଓଡ଼ିଆରେ ଫଳକ ଲଗାଇବା ପାଇଁ ଜିଲ୍ଲା ଶ୍ରମ ଅଧିକାରୀ ଓ ପୌରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଏହାର କଡ଼ାକଡ଼ି ନିରୀକ୍ଷଣ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ମାସଠାରୁ ଖିଲାପକାରୀଙ୍କୁ ୭ ଦିନିଆ ନୋଟିସ ଦିଆଯିବ । ଏହାପରେ ଯଦି ଅଧୀନିୟମ ଅନୁପାଳନ ନହୁଏ, ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହିତ ଜୋରିମାନା/ଲାଇସେନ୍ସ ରଦ୍ଧ କରାଯିବ । ପ୍ରଥମଥର ଖିଲାପକାରୀଙ୍କୁ ୫ ହଜାର ଟଙ୍କା ଏବଂ ଦ୍ୱିତୀୟଥର ଖିଲାପକାରିଙ୍କୁ ୨୫ ହଜାର ଟଙ୍କା ତଣ୍ଡ ଗଣିବାକୁ ପଡ଼ିବ ।