BJPରେ ମିଶିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ନି? ରାଜ୍ୟ କଂଗ୍ରେସର ମୁଖ୍ୟ କିଏ ହେବ, ପଞ୍ଜାବ ରାଜନୀତି ହଲଚଲ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ସାରା ଦେଶର ରାଜନୈତିକ ମାହୋଲ ସରଗରମ୍ ରହିଛି । ଫଳରେ ବିଭିନ୍ନ ରାଜ୍ୟରେ ରାଜନେତାଙ୍କର ଦଳ ବଦଳ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି । ତେବେ ଏହା ମଧ୍ୟରେ ପଞ୍ଜାବ ରାଜନୀତିରେ ଏକ ବଡ଼ ରାଜନୈତିକ ସମୀକରଣ ଦେଖିବାକୁ ମିଳିପାରେ । ରାଜ୍ୟର ଜଣେ ହେଭିୱେଟ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦଳ ଛାଡ଼ିବା ନେଇ ଚର୍ଚ୍ଚା ହେଉଛି ।

ସୂଚନ ମୁତାବକ, ରାଜ୍ୟ କଂଗ୍ରେସର ଅନ୍ୟତମ ଟାଣୁଆ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ବିଜେପି ହାତ ଧରିବା ନେଇ ଚର୍ଚ୍ଚା ହେଉଛି । ନିକଟରେ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ନବଜୋତ ସିଂହ ସିଦ୍ଧୁ ଜେଲରୁ ବାହାରିଥିଲେ । ଏହପରେ ସିଦ୍ଧୁ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ଦଳର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କୁ ଭେଟିଥିଲେ । ଏହାପରେ ବର୍ତ୍ତମାନ ରାଜ୍ୟ କଂଗ୍ରେସର ପାୱାର ସେଣ୍ଟରକୁ ନେଇ ଚନ୍ନି ଓ ସିଦ୍ଧୁଙ୍କ ମଧ୍ୟରେ ଶୀତଳଯୁଦ୍ଧ ଚାଲିଥିବା କୁହାଯାଉଛି ।

ଏକ ସୂତ୍ରରୁ ଜଣାପଡ଼ିଛି, ଚନ୍ନି ନିକଟରେ ବିଜେପିର କିଛି ନେତାଙ୍କୁ ସାକ୍ଷାତ କରିଛନ୍ତି । ସିଦ୍ଧୁ ଫେରିବା ପରେ ଏହି ହଲଚଲ ଦେଖିବାକୁ ମିଳିଛି । ବିଧାନସଭା ନିର୍ବାଚନ ପୂର୍ବରୁ ସିଦ୍ଧୁ-ଚନ୍ନିଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଏବେ ଜେଲରୁ ଫେରିବା ପରେ ସିଦ୍ଧୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ରାହୁଲଙ୍କ ସହ ଆଲୋଚନା କରିଛନ୍ତି । ସିଦ୍ଧୁଙ୍କର କାର୍ଯ୍ୟକଳାପକୁ ନେଇ ଚନ୍ନି ବିଜେପିରେ ସାମିଲ ହୋଇ ପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ସୂଚନାଯୋଗ୍ୟ ଯେ, ୨୦୨୨ ବିଧାନସଭା ନିର୍ବାଚନ ସମୟରେ ସିଦ୍ଧୁ ପ୍ରଦେଶ ଅଧ୍ୟକ୍ଷ ପଦରେ ରହିଥିଲେ ହେଁ ହାଇକମାଣ୍ଡ ଚନ୍ନିଙ୍କୁ ଦଳର ଚେହେରା ଭାବେ ଘୋଷଣା କରିଥିଲେ । ମାତ୍ର ନିର୍ବାଚନରେ ଆମ ଆଦମୀ ପାର୍ଟି (ଆପ) ବିଜୟ ହାସଲ କରିଥିବା ବେଳେ କଂଗ୍ରେସର ସରକାର ଗଠନ ସ୍ୱପ୍ନ ଧୂଳିସାତ ହୋଇଯାଇଥିଲା । ଅନ୍ୟପକ୍ଷରେ ନିଜର ପୁତୁରାଙ୍କ ଗିରଫଦରୀ ପରେ ଚନ୍ନିଙ୍କୁ ବିରୋଧ କରାଯାଉଥିବା ଦେଖିବାକୁ ମିଳିଛି ।