ନୂଆଦିଲ୍ଲୀ: ଜୀବନରେ ଧନୀ ହେବାକୁ ସମସ୍ତଙ୍କର ଇଚ୍ଛା ଥାଏ । କିନ୍ତୁ ବହୁତ କମ୍ ଲୋକ ଏହି ଲକ୍ଷ୍ୟରେ ସଫଳ ହୋଇପାରନ୍ତି । ପ୍ରାୟତଃ ଗୋଟିଏ ସହରର ଜଣେ କିମ୍ବା ୨ଜଣ ଧନୀ ତାଲିକାରେ ସାମିଲ ହୋଇପାରନ୍ତି । କିନ୍ତୁ ଏମିତି ଏକ ସହର ରହିଛି, ଯେଉଁଠି ୫୦ରୁ ଅଧିକ ଜଣ ଆରବପତି ରହିଛନ୍ତି । କେବଳ ସେତିକି ନୁହେଁ, ଏମାନଙ୍କ ବ୍ୟତୀତ ଲକ୍ଷ ଲକ୍ଷ କୋଟିପତିଙ୍କୁ ନେଇ ମୁଣ୍ଡ ଟେକିଛି ଏହି ସହର । ଯେଉଁଥିପାଇଁ ଏହି ସହରକୁ ପାଲଟିଛି ବିଶ୍ୱର ସବୁଠୁ ଧନୀ ସହର ।
ଏକ ରିପୋର୍ଟରୁ ଜଣାଯାଇଛି ଯେ, ଚଳିତବର୍ଷ ନ୍ୟୁୟର୍କ ପୁଣିଥରେ ବିଶ୍ୱର ଧନୀ ସହର ଭାବରେ ସୁନାମ ଅର୍ଜନ କରିଛି । ଗ୍ଲୋବାଲ ୱେଲଥ ଟ୍ରାକର ହେନଲେ ଆଣ୍ଡ ପାର୍ଟନର୍ସ ଅନୁସାରେ ଏହି ସହରରେ ବିଶ୍ୱର ସର୍ବାଧିକ ୩ ଲକ୍ଷ ୪୦ହଜାର କୋଟିପତି ବସବାସ କରୁଛନ୍ତି । ତେଣୁ ଏହି ସହରକୁ ବିଶ୍ୱର ସବୁଠୁ ଧନୀ ସହର ଭାବେ ପରିଚୟ ପାଇଛି । ନ୍ୟୁୟର୍କ ପରେ ସବୁଠୁ ଧନୀ ସହର ତାଲିକାରେ ଟୋକ୍ୟୋ ଏବଂ ସେନ୍ ଫ୍ରାନ୍ସିକୋ ସ୍ଥାନ ପାଇଛନ୍ତି । ତେବେ ଏହି ୨ ସହରରେ ଯଥାକ୍ରମେ ୨ ଲକ୍ଷ ୯୦ ହଜାର ୩୦୦ ଏବଂ ୨୫ହଜାର କୋଟିପତି ବସବାସ କରୁଛନ୍ତି । ଦୁନିଆର ୯ ଦେଶର ୯୭ ସହରକୁ ନେଇ ବିଶ୍ୱର ଧନୀ ତାଲିକା ପ୍ରସ୍ତୁତ କରାଯାଇଛି । ଆଫ୍ରିକା, ଅଷ୍ଟ୍ରେଲିଆ, ସିଆଇଏସ, ପୂର୍ବ-ଏସିଆ, ୟୁରୋପ, ମିଡିଲ-ଇଷ୍ଟ, ଉତ୍ତର ଆମେରିକା, ଦକ୍ଷିଣ ଏସିଆ ଏବଂ ଦକ୍ଷିଣ-ପୂର୍ବ ଏସିଆ ଇତ୍ୟାଦିର ୯୭ ସହର ଏହି ତାଲିକାରେ ସାମିଲ ହୋଇଛନ୍ତି ।
ତେବେ ଧନୀ ସହର ତାଲିକାରେ ଆମେରିକାର ନ୍ୟୁୟର୍କ, ଦ ବେ ଏରିଆ, ଲସ୍ ଏବଂ ଶିକାଗୋ ୪ଟି ସହର ସହିତ ଟପ୍ ରେ ରହିଛି । ଏହାବ୍ୟତୀତ ଚୀନର ଦୁଇଟି ସହର ବିଜିଙ୍ଗ ଏବଂ ଶଙ୍ଘାଇ ମଧ୍ୟ ଏଥିରେ ସ୍ଥାନ ପାଇଛି । ତେବେ ଲଣ୍ଡନ(୨,୫୮,୦୦୦) କୋଟିପତି ବାସିନ୍ଦାଙ୍କ ସହ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ସିଙ୍ଗାପୁର(୨,୪୦,୦୦୦) ପଞ୍ଚମରେ ରହିଛି ।