fbpx

ପ୍ରବାସୀ ଶ୍ରମିକଙ୍କୁ ୩ ମାସ ଭିତରେ ରାସନ କାର୍ଡ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ପ୍ରବାସୀ ଶ୍ରମିକମାନଙ୍କୁ ୩ ମାସ ମଧ୍ୟରେ ରାସନ କାର୍ଡ ଦେବା ପାଇଁ ସୁପ୍ରିମକୋର୍ଟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ପ୍ରବାସୀ ଶ୍ରମିକଙ୍କୁ ରାସନ କାର୍ଡ ଦେବା ବାବଦରେ ହୋଇଥିବା ଆବେଦନର ଶୁଣାଣି କରି ଗୁରୁବାର ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି।

ସୁପ୍ରିମକୋର୍ଟ ଜଜ୍ ଜଷ୍ଟିସ ଏମ ଆର୍ ଶାହା ଓ ଜଷ୍ଟିସ ଅସନଉଦ୍ଦିନ ଅମନୁଲହାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ରାୟ ଦେଇଛନ୍ତି। ‘ଇ-ଶ୍ରମ’ ପୋର୍ଟାଲରେ ପଞ୍ଜୀକୃତ ପ୍ରବାସୀ ଶ୍ରମିକମାନଙ୍କୁ ରାସନ କାର୍ଡ ମିଳିଲେ ସେମାନେ ଜାତୀୟ ଖାଦ୍ୟ ସୁରକ୍ଷା ନିୟମ ଅନ୍ତର୍ଗତ ମିଳୁଥିବା ବିଭିନ୍ନ ସୁବିଧା ପାଇପାରିବେ ବୋଲି ଖଣ୍ଡପୀଠ କହିଥିଲେ।

“ଏବେ ଭାରତରେ ୨୮ କୋଟି ୬୦ ଲକ୍ଷ ପ୍ରବାସୀ ଶ୍ରମିକ କେନ୍ଦ୍ର ସରକାରଙ୍କ ଇ-ଶ୍ରମ ପୋର୍ଟାଲରେ ପଞ୍ଜିକରଣ କରିଛନ୍ତି। ସେଥିମଧ୍ୟରୁ ୨୦ କୋଟି ୬୩ ଲକ୍ଷ ଶ୍ରମିକଙ୍କୁ ରାସନ କାର୍ଡ ମିଳିଛି। ଅନ୍ୟପଟେ ରାସନ କାର୍ଡ ପାଇନଥିବା ପ୍ରବାସୀ ଶ୍ରମିକ ଓ ସେମାନଙ୍କ ପରିବାର ଜାତୀୟ ଖାଦ୍ୟ ସୁରକ୍ଷା ନିୟମ ଅନ୍ତର୍ଗତ ମିଳୁଥିବା ବିଭିନ୍ନ ସୁବିଧାରୁ ବଞ୍ଚିତ ହେଉଛନ୍ତି। ସେମାନେ ବାହାର ରାଜ୍ୟରେ ସୁଲଭରେ ସରକାରୀ ଖାଦ୍ୟ ସାମଗ୍ରୀ ପାଇପାରୁନାହାନ୍ତି”, କହିଛନ୍ତି ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛନ୍ତି, “ରାଜ୍ୟରେ କାର୍ଯ୍ୟ କରୁଥିବା ପ୍ରବାସୀ ଶ୍ରମିକଙ୍କୁ ରାସନ କାର୍ଡ ଦେବା ହେଉଛି ରାଜ୍ୟ ସରକାରଙ୍କ ଦାୟିତ୍ଵ। ରାଜ୍ୟମାନଙ୍କ ପାଖରେ ଶ୍ରମିକଙ୍କ ତଥ୍ୟ ମଧ୍ୟ ଉପଲବ୍ଧ ଅଛି। ତେଣୁ ଏଥିରୁ ବଞ୍ଚିତ ରହିଥିବା ଶ୍ରମିକଙ୍କୁ ୩ ମାସ ମଧ୍ୟରେ ରାସନ କାର୍ଡ ଦିଆଯିବା ଆବଶ୍ୟକ।”

ପ୍ରବାସୀ ଶ୍ରମିକମାନଙ୍କୁ ରାସନ କାର୍ଡ ଦେବାକୁ ନେଇ ସାମାଜିକ କର୍ମୀ ଅଞ୍ଜଳି ଭରଦ୍ଵାଜ, ହର୍ଷ ମନ୍ଦର ଓ ଜଗଦୀପ ଛୋକ୍କର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଭାରତରେ ୨୦୧୧ ଜନଗଣନା ଅନୁସାରେ ପ୍ରବାସୀ ଶ୍ରମିକଙ୍କୁ ରାସନ କାର୍ଡ ମିଳୁଥିବାରୁ ଅନେକ ଏଥିରୁ ବଞ୍ଚିତ ହୋଇଥିବାର ସେମାନେ ଅଭିଯୋଗ କରିଥିଲେ।

Get real time updates directly on you device, subscribe now.