ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧିନରେ ବିଭିନ୍ନ ପ୍ରକାରର ତଦନ୍ତକାରୀ ସଂସ୍ଥା ରହିଛି । ତେବେ ମଧ୍ୟରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ହେଉଛି ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ (ସିବିଆଇ) ଓ ସେଣ୍ଟ୍ରାଲ ଇନଭେଷ୍ଟିଗେସନ ଡିପାର୍ଟମେଣ୍ଟ (ସିଆଇଡି) । ଅନେକ ସମୟରେ ସିବିଆଇ ଓ ସିଆଇଡିକୁ ନେଇ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥାଏ । ସାଧାରଣ ଭାବେ ଅପରାଧ ସମ୍ବନ୍ଧୀୟ ମାମଲାର ସମାଧାନ କରିବା ହେଉଛି କେନ୍ଦ୍ରୀୟ ଏଜେନ୍ସିର ମୁଖ୍ୟ କାର୍ଯ୍ୟ । ତେବେ ଏହି ଦୁଇ ସଂସ୍ଥା ବିଷୟରେ ଆପଣମାନେ ସବିଶେଷ ତଥ୍ୟ ଜାଣିବା ନିହାତି ଜରୁରୀ ।
ସିବିଆଇ ଓ ସିଆଇଡି ଏହି ଦୁଇ ତଦନ୍ତାକାରୀ ସଂସ୍ଥା ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି । ସିବିଆଇ ଓ ସିଆଇଡି ଅଲଗା ଅଲଗା ଏଜେନ୍ସି ହୋଇଥିବାରୁ ସେମାନଙ୍କର ତରିକା ମଧ୍ୟ ଭିନ୍ନ ରହିଥାଏ । ସିଆଇଡି ରାଜ୍ୟ ସରକାରଙ୍କ ଆଦେଶରେ କାର୍ଯ୍ୟ କରୁଥିବା ବେଳେ ସିବିଆଇ କେନ୍ଦ୍ର ସରକାର, ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରିଥାଏ । ଗତ ୧୯୬୩ ମସିହାରେ ସିବିଆଇର ସ୍ଥାପନା ହୋଇଥିବା ବେଳେ ୧୯୦୨ରେ ବ୍ରିଟିଶ ଶାସନ କାଳ ସମୟରେ ସିଆଇଡିର ସ୍ଥାପନ ହୋଇଥିଲା । ସିବିଆଇ ଏକ କେନ୍ଦୀୟ ଏଜେନ୍ସି ହୋଇଥିବା ବେଳେ ସିଆଇଡି ରାଜ୍ୟ ସରକାରଙ୍କର ଏକ ଯାଞ୍ଚ ଏଜେନ୍ସି ଅଟେ ।
କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଆଧାରରେ ସିବିଆଇ ଦେଶର ଯେ କୌଣସି କୋଣରେ ନିଜର ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିପାରିବ । ମାତ୍ର କିଛି କିଛି ରାଜ୍ୟରେ ସିବିଆଇ ପ୍ରବେଶ ନେଇ ପ୍ରଥମେ ସାଧାରଣ ସହମତି ନେବାକୁ ପଡ଼ିଥାଏ । ତେବେ ତେଲେଙ୍ଗାନା, ପଶ୍ଚିମବଙ୍ଗ, ପଞ୍ଜାବ, ରାଜସ୍ଥାନ ପରି କିଛି ରାଜ୍ୟରେ ସିବିଆଇ ପ୍ରବେଶ କରିବା ପୂର୍ବରୁ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡ଼ିବ । ହାଇକୋର୍ଟଙ୍କ ଆଦେଶ ପରେ ରାଜ୍ୟ ସରକାର କୌଣସି ମାମଲାର ସିଆଇଡି ଯାଞ୍ଚ କରାଇଥାନ୍ତି । ସେହିପରି ସୁପ୍ରିମକୋର୍ଟଙ୍କ ଆଦେଶ ପରେ କେନ୍ଦ୍ର ସରକାର କୌଣସି ମାମଲାର ସିବିଆଇ ଯାଞ୍ଚ କରିଥାନ୍ତି ।
ରାଜ୍ୟ ପୋଲିସ ବଳ ମାଧ୍ୟମରେ ଜଣେ ଆଶାୟୀ ସିଆଇଡିରେ ସାମିଲ ହୋଇପାରିବେ । ସେବା ରେକର୍ଡ ଆଧାରରେ ପ୍ରାର୍ଥୀଙ୍କୁ ପଦୋନ୍ନତି ମିଳିଥାଏ । ପ୍ରାର୍ଥୀଙ୍କୁ ସିଭିଲ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିଥାଏ । ଅନ୍ୟପକ୍ଷରେ ସିବିଆଇ ପାଇଁ ସିଭିଲ ସେବା ପରୀକ୍ଷା ମାଧ୍ୟମରେ ଚୟନ କରାଯାଇଥାଏ । ସିବିଆଇର ଗ୍ରୁପ-ଏ ଅଫିସର ହେବା ପାଇଁ ପ୍ରାର୍ଥୀଙ୍କୁ ଏଥିରେ କ୍ୱାଲିଫାଏ ହେବାକୁ ପଡ଼ିଥାଏ । ଏଥିସହିତ ପ୍ରାର୍ଥୀଙ୍କୁ ଆଇପିଏସ ହେବାକୁ ପଡ଼ିଥାଏ । ସେହିପରି ଷ୍ଟାଫ ସିଲେକ୍ସନ କମିଶନ (ଏସଏସସି) ମିଳିତ ଗ୍ରାଜୁଏଟ ସ୍ତରୀୟ (ସିଜିଏଲ) ପରୀକ୍ଷାରେ ପାସ କରିଥିବା ପ୍ରାର୍ଥୀ ସିବିଆଇରେ ସବଇନ୍ସପେକ୍ଟର ପଦ ପାଇ ପାରିବେ ।