fbpx

ଆଜି ବିଶ୍ୱ ମ୍ୟାଲେରିଆ ଦିବସ: ଏହି ଅବସରରେ ୨୦୩୦ ସୁଦ୍ଧା ରାଜ୍ୟକୁ ମ୍ୟାଲେରିଆ ମୁକ୍ତ କରିବା ପାଇଁ ସରକାରଙ୍କ ଲକ୍ଷ୍ୟ

ଭୁବନେଶ୍ୱର: ଆଜି ବିଶ୍ୱ ମ୍ୟାଲେରିଆ ଦିବସ ପାଳନ କରାଯାଉଛି । ମ୍ୟାଲେରିଆ ନିରାକରଣ ପାଇଁ ବିଶ୍ୱସ୍ତରୀୟ ଉଦ୍ୟମକୁ ସ୍ୱୀକୃତି ଦେବା ସକାଶେ ପ୍ରତି ବର୍ଷ ଏପ୍ରିଲ ୨୫ ତାରିଖରେ ଏହି ଦିବସ ପାଳନ କରାଯାଇଥାଏ । ମ୍ୟାଲେରିଆ ନିରାକରଣ ଓ ନିୟନ୍ତ୍ରଣ ନିରନ୍ତର ରାଜନୈତିକ ପ୍ରତିବଦ୍ଧତା ଓ ପୁଞ୍ଜିନିବେଶ ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି । ୨୦୦୭ ବିଶ୍ୱ ସ୍ୱାସ୍ଥ୍ୟ ଅଧିବେଶନ କାଳରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସଦସ୍ୟ ରାଷ୍ଟ୍ରଗୁଡ଼ିକ ଦ୍ୱାରା ମ୍ୟାଲେରିଆ ଦିବସ ପାଳନ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା ।

୨୦୩୦ ସୁଦ୍ଧା ଓଡ଼ିଶାକୁ ସମ୍ପୂର୍ଣ୍ଣ ମ୍ୟାଲେରିଆ ମୁକ୍ତ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ମଶାରୀ ବ୍ୟବହାର ସହିତ ମଶା ବଂଶ ବୃଦ୍ଧି ରୋକିବାକୁ ପରିବେଶ ପରିଷ୍କାର ଓ ପରିଚ୍ଛନ୍ନ ରଖିବା ଲାଗି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଦମନ କାର୍ଯ୍ୟକ୍ରମ ଅଧିନରେ ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି । ୨୦୧୯-୨୧ ମସିହା ମଧ୍ୟରେ ରାଜ୍ୟରେ ୧ କୋଟି ୫୬ ଲକ୍ଷ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିକ ମଶାରୀ ବଣ୍ଟନ କରାଯାଇଛି । ଏହାଯୋଗୁଁ ୨୦୧୬ ରୁ ୨୨ ମସିହା ମଧ୍ୟରେ ରାଜ୍ୟରେ ସର୍ବାଧିକ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ଶତକଡା ୯୫ ଭାଗ ହ୍ରାସ ପାଇଛି ।

ଅନ୍ୟପଟେ ନବରଙ୍ଗପୁର ଜିଲ୍ଲାରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ ହେଉଛି । ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ନବରଙ୍ଗପୁର ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି । ୨୦୨୨ ବର୍ଷରେ ବାର୍ଷିକ ପାରାସାଇଟ୍‍ ସଂକ୍ରମଣ ହ୍ରାସ କ୍ଷେତ୍ରରେ ପ୍ରଗତିକୁ ନେଇ ନବରଙ୍ଗପୁର ଜିଲ୍ଲାକୁ ପୁରସ୍କୃତ କରାଯାଇଛି । ଜିଲ୍ଲାରେ ପ୍ରତି ହଜାରେ ଲୋକରେ ଶୂନ ଦଶମିକ ୫ ରୋଗୀ ଥିବାର ହିସାବ କରାଯାଇଛି । ୨୦୧୭ ମସିହାରେ ହଜାରେ ଲୋକଙ୍କ ମଧ୍ୟରେ ୧୨ ଜଣ ମ୍ୟାଲେରିଆ ରୋଗୀ ଥିଲେ । ସେହିପରି ଜିଲ୍ଳାରେ ମସ୍ତିଷ୍କ ମ୍ୟାଲେରିଆ ଶତକଡ଼ା ୮୮ ଭାଗରୁ ୮୩ ଭାଗକୁ ହ୍ରାସ ପାଇଛି । ଏହି ଅବସରରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଓ ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.