BJD ନେତାଙ୍କ ମୃତ୍ୟୁ: ଝାରସୁଗୁଡ଼ା ଉପନିର୍ବାଚନ ପ୍ରଚାର ସାରି ଫେରୁଥିବା ବେଳେ ଘଟିଲା ଦୁର୍ଘଟଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୧୦ ତାରିଖରେ ରାଜ୍ୟର ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ରାଜ୍ୟର ପ୍ରମୁଖ ରାଜନୈତିକ ଦଳମାନେ ନିଜ ନିଜର ରଣନୀତି ସହିତ ପ୍ରଚାର ଅଭିଯାନ ଆରମ୍ଭ କରିଦେଇଛନ୍ତି । ଆସନ୍ତାକାଲି ପ୍ରଚାରର ଶେଷ ତାରିଖ ରହିଥିବା ବେଳେ ଆଜି ବିଜେଡି ପକ୍ଷରୁ ସୁପ୍ରିମୋ ନବୀନ ପଟ୍ଟନାୟକ ଓ ବିଜେପି ପକ୍ଷରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ।

ତେବେ ଦୁଇ ହେଭିୱେଟଙ୍କ ପ୍ରଚାରରେ ଆଜି କମ୍ପି ଉଠିଛି ସମଗ୍ର ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀ । ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଚାର ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ତେବେ ନିର୍ବାଚନ ମଣ୍ଡଳୀରେ ପ୍ରଚାର ଅଭିଯାନ ଜୋରସୋରରେ ଚାଲିଥିବା ବେଳେ ଏହା ମଧ୍ୟରେ ଘଟିଯାଇଛି ଏକ ବଡ଼ ଅଘଟଣ । ଜଣେ ବିଜେଡି ନେତାଙ୍କର ଅଚାନକ ମୃତ୍ୟୁ ଘଟିଛି । ଝାରସୁଗୁଡ଼ାରୁ ପ୍ରଚାର କାର୍ଯ୍ୟ ସାରି ଫେରୁଥିବା ସମୟରେ ଏକ ଦୁର୍ଘଟଣା ଘଟିଥିଲା ।

ସୂଚନା ଅନୁଯାୟୀ, ଝାରସୁଗୁଡ଼ାରୁ ନିର୍ବାଚନୀ ପ୍ରଚାର ସାରି ଫେରିବା ସମୟରେ ରାଜଗାଙ୍ଗପୁରର ବିଜେଡି ନେତା ଜୟନ୍ତ ମହାନ୍ତିଙ୍କ ମୃତ୍ୟୁ ଘଟିଛି । ଜୟନ୍ତଙ୍କ କାର ଲଇକେରା ସାସହପୁର ନିକଟରେ ରାସ୍ତା ତଳକୁ ଓଲଟି ପଡ଼ିବାରୁ ସେ ଗାଡ଼ିରୁ ବାହାରକୁ ଛିଟିକି ପଡ଼ିଥିଲେ । ଜୟନ୍ତ କାର ଡ୍ରାଇଭ କରୁଥିଲେ ଓ ଦୁର୍ଘଟଣା ସମୟରେ ତାଙ୍କର ମୁଣ୍ଡ ଏକ ପଥରରେ ବାଡ଼େଇ ହୋଇଯାଇଥିଲା । ଏହାଫଳରେ ତାଙ୍କର ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେବା ସହ ଘଟଣାସ୍ଥଳରେ ସେ ମୃତ୍ୟୁବରଣ କରିଥିଲେ । ଏଥିସହିତ କାରରେ ଥିବା ଅନ୍ୟ ୩ ଜଣ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି । ନିର୍ବାଚନ ପୂର୍ବରୁ ଏହି ଦୁଃଖଦ ଘଟଣା ବିଜେଡିର ସମସ୍ତ କର୍ମୀଙ୍କ ମଧ୍ୟରେ ଶୋକର ଲହରୀ ଖେଳାଇ ଦେଇଛି । ସୂଚନାଯୋଗ୍ୟ ଯେ, ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡିରୁ ଦିପାଳୀ ଦାସ, ବିଜେପିରୁ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସର ତରୁଣ ପାଣ୍ଡେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।