ରାଜ୍ୟରେ ପ୍ରତିଷ୍ଠା ହେବ ‘ଡ୍ରୋନ୍ ସ୍କୁଲ’: ବୈଷୟିକ ସହାୟତା ଦେବ DFI, ରୋଜଗାରର ନୂଆ ମାଧ୍ୟମ ଖୋଲିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି । ରାଜ୍ୟ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ଡ୍ରୋନ ଶିକ୍ଷା କାର୍ଯ୍ୟକ୍ରମ । ଖୁବଶୀଘ୍ର ରାଜ୍ୟରେ ପ୍ରତିଷ୍ଠା ହେବ ଡ୍ରୋନ ସ୍କୁଲ । ଛାତ୍ରଛାତ୍ରୀମାନେ ଏହି ସ୍କୁଲରେ ଶିକ୍ଷାଗ୍ରହଣ କରିବା ପରେ ମାସକୁ ୩୦ ହଜାର ଟଙ୍କା ଦରମା ପାଇ ପାରିବେ । ରାଜ୍ୟରେ ଡ୍ରୋନ୍ ସ୍କୁଲ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଡ୍ରୋନ ଫେଡେରେସନ ଅଫ୍ ଇଣ୍ଡିଆ (ଡିଏଫଆଇ)ର ସହାୟତା ନେବେ ବୋଲି ଜଣାପଡ଼ିଛି ।

ସୂଚନା ମୁତାବକ, ଢେଙ୍କାନାଳ ବୀରସାଲରେ ପ୍ରସ୍ତାବିତ ବିଜୁ ପଟ୍ଟନାୟକ ଏରୋସ୍ପେଶ ଏକାଡେମୀରେ ଏହି ଡ୍ରୋନ ସ୍କୁଲ ପ୍ରତିଷ୍ଠା କରାଯିବାର ସମ୍ଭାବନା ରହିଛି । ପୂର୍ବରୁ ଏହି ଏକାଡେମୀରେ ବିମାନ ଚାଳନା ସହିତ ଟେକ୍ନିକାଲ ଟ୍ରେନିଂ ସୁବିଧା ରହିଥିବା ବେଳେ ଏବେ ସେଥିରେ ଡ୍ରୋନ୍ ଟ୍ରେନିଂକୁ ସାମିଲ କରାଯିବ । ଏଥିପାଇଁ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ଏକ ଟିମ୍ ଡିଏଫଆଇର ମୁଖ୍ୟ ଅଫିସ ଗସ୍ତରେ ଯିବେ । ଆଗାମୀ ଦିନରେ ଡ୍ରୋନର ଉପଯୋଗ ବୃଦ୍ଧି ପାଇବାର ସମ୍ଭାବନା ରହିଥିବା ବେଳେ ରାଜ୍ୟ ସରକାର ଏନେଇ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ।

ସେହିପରି ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ଆଇଟିଆଇରେ ଡ୍ରୋନ୍ ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ଗତବର୍ଷ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଅବସରରେ ଡିଏଫଆଇ ଓ ଦକ୍ଷତା ବିକାଶ ବିଭାଗ ମଧ୍ୟରେ ଏନେଇ ବୁଝାମଣା ଅନୁଷ୍ଠିତ ହୋଇଥିଲ । ବିଶେଷଜ୍ଞ ଓ ଡିଏଫଆଇ ସହ ଆଲେଚାନା କରାଯାଇ ଏନେଇ ବିଧିବଦ୍ଧ ପାଠ୍ୟ ଖସଡ଼ା ପ୍ରସ୍ତୁତ କରାଯିବ । ଗୋଟିଏ ସପ୍ତାହର ପାଠକ୍ରମ ସରିବା ପରେ ଜଣେ ମାସକୁ ୩୦ ହଜାର ଟଙ୍କା ରୋଜଗାର କରିପାରିବ ବୋଲି କୁହାଯାଇଛି । ଏନେଇ ନିକଟରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ ।