ମୋଦୀ-ନବୀନ ସାକ୍ଷାତ: ୨୦୨୪ରେ ଏକାକୀ ଲଢ଼ିବ BJD, ମୁଖ୍ୟମନ୍ତ୍ରୀ ରଖିଲେ ୪ଟି ଦାବି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଏହି ଅବସରରେ ଆଜି ନବୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ସାରା ଦେଶରେ ଏବେ ନିର୍ବାଚନୀ ବାତାବରଣ ଜାରି ରହିଥିବା ବେଳେ ଏହି ଅବସରରେ ଏହି ଦୁଇ ହେଭିୱେଟ ନେତାଙ୍କ ସାକ୍ଷାତ ରାଜନୈତିକ ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି ।

ତେବେ ପ୍ରଧାନମନ୍ତ୍ରୀଙ୍କ ସହିତ ସାକ୍ଷାତ ଅବସରରେ ନବୀନ ୪ଟି ଦାବି ରଖିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଆସନ୍ତା ୨୦୨୪ ସାଧାରଣ ଲୋକସଭା ନିର୍ବାଚନରେ ବିଜେଡି ଏକାକୀ ଲଢ଼େଇ କରିବେ । ତୃତୀୟ ସାମ୍ମୁଖ୍ୟରେ ବିଜେଡି ଏବେ ରହି ନାହିଁ । ପୁରୀ ଅନ୍ତର୍ଜାତୀୟ ଏୟାରପୋର୍ଟ ବାବଦରେ ଆଲୋଚନା ହୋଇଛି । ରାଜଧାନୀ ଭୁବନେଶ୍ୱର ବିମାନ ବନ୍ଦରରେ ଅଧିକ ଟ୍ରାଫିକ ସୃଷ୍ଟି ହେଉଥିବାରୁ ଶ୍ରୀଜଗନ୍ନାଥ ଏୟାରପୋର୍ଟ ନିର୍ମାଣ କରିବା ନେଇ କୁହାଯାଇଛି । ଅନ୍ୟପକ୍ଷରେ ପ୍ରଧାମନ୍ତ୍ରୀ ଏ ବାବଦରେ ସହଯୋଗ କରିବେ ପ୍ରତିଶ୍ରୁତି ଦେଇଥିବା ନବୀନ କହିଛନ୍ତି ।

ସେହିପରି ଓଡ଼ିଶାର ୬୭୯୮ଟି ପଞ୍ଚାୟତ ମଧ୍ୟରୁ ୨୮୪୪ଟି ପଞ୍ଚାୟତରେ ବ୍ୟାଙ୍କିଂ ସେବା ଉପଲବ୍ଧ ରହିଛି । ତେଣୁ ଅବଶିଷ୍ଟ ପଞ୍ଚାୟତଗୁଡ଼ିକୁ ବ୍ୟାଙ୍କିଂ ସେବାରେ ସାମିଲ କରିବାକୁ ନବୀନ ମୋଦୀଙ୍କ ନିକଟରେ ଦାବି ରଖିଛନ୍ତି । ଏହାଛଡ଼ା ଭାରତ ନେଟ ଫେଜ-୨ରେ ରାଜ୍ୟକୁ ସାମିଲ କରିବା, ରାଜ୍ୟରେ ଅସମ୍ପୂର୍ଣ୍ଣ ଥିବା ଜାତୀୟ ରାଜପଥକୁ ସମ୍ପୂର୍ଣ୍ଣ କରିବା, ପଞ୍ଚାୟତ ସ୍ତରରେ ଅଧିକରୁ ଅଧିକ ବ୍ୟାଙ୍କ ସ୍ଥାପନ କରିବା ଆଦି ଦାବି ରଖାଯାଇଛି । ତେବେ ଏହି ସାକ୍ଷାତ ଅବସରରେ କୌଣସି ରାଜନୈତିକ ପ୍ରସଙ୍ଗ ଆଲୋଚନା ହୋଇ ନଥିବା ନବୀନ କହିଛନ୍ତି ।