fbpx

କର୍ଣ୍ଣାଟକ ନିର୍ବାଚନରେ ​​ପରାଜୟ ପରେ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦେଲେ ମୁଖ୍ୟମନ୍ତ୍ରୀ ବସଭରାଜ ବମ୍ମାଇ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ​​ବିଜେପିର ପରାଜୟ ପରେ ମୁଖ୍ୟମନ୍ତ୍ରୀ ବାସଭରାଜ ବମ୍ମାଇ ରାଜ ଭବନରେ ରାଜ୍ୟପାଳଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦେଇଛନ୍ତି। ସେପଟେ ରବିବାର ଅପରାହ୍ନ ସାଢେ ୫ ଟାରେ କଂଗ୍ରେସ ଏହାର ନବ ନିର୍ବାଚିତ ବିଧାୟକଙ୍କ ବୈଠକ ଡାକିଛି। ଏହି ବୈଠକରେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମରେ ମୋହର ଲାଗିବ ବୋଲି ବିଶ୍ୱାସ କରାଯାଉଛି।

ଏହାରି ମଧ୍ୟରେ, ସୂତ୍ରରୁ ପ୍ରକାଶ ଖବର ଅନୁଯାୟୀ ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ପଦବୀ ଦୌଡ଼ରେ ସର୍ବାଗ୍ରେ ରହିଛନ୍ତି ଏବଂ ତାଙ୍କର ତିନିଜଣ ଉପମୁଖ୍ୟମନ୍ତ୍ରୀ ରହିପାରନ୍ତି। ସୂତ୍ରରୁ ପ୍ରକାଶ ଯେ ଜଣେ ଉପ ମୁଖ୍ୟମନ୍ତ୍ରୀ ଲିଙ୍ଗାୟତ ସମ୍ପ୍ରଦାୟର ହେବାର ସମ୍ଭାବନା ରହିଛି। ତେବେ ୩୪ ବର୍ଷ ପରେ କର୍ଣ୍ଣାଟକ ନିର୍ବାଚନରେ ​​କଂଗ୍ରେସ ସବୁଠାରୁ ବଡ ବିଜୟ ହାସଲ କରିଛି। ୧୯୮୯ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ୧୭୮ ଟି ଆସନ ଜିତିଥିଲା। ଏହି ନିର୍ବାଚନର ଫଳାଫଳ ପରେ ଲିଙ୍ଗାୟତ ନେତା ବିରେନ୍ଦ୍ର ପାଟିଲ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ।

ରାଜ୍ୟପାଳଙ୍କୁ ଇସ୍ତଫା ଦେଇଥିବା ଫଟୋକୁ ମୁଖ୍ୟମନ୍ତ୍ରୀ ବସଭରାଜ ବମ୍ମାଇ ଟ୍ୱିଟ୍ କରିଛନ୍ତି। ଫଟୋ ସହିତ ସେ ଲେଖିଛନ୍ତି, ‘କର୍ଣ୍ଣାଟକବାସୀଙ୍କ ଆଦେଶକୁ ସମ୍ମାନ ଜଣାଇ ମୁଁ ମୋ ପଦରୁ ଇସ୍ତଫା ଦେଇଛି। ମୋର ମୁଖ୍ୟମନ୍ତ୍ରୀଙ୍କ କାର‌୍ୟ୍ୟକାଳରେ ଯେଉଁମାନେ ସହଯୋଗ କରିଥିଲେ ମୁଁ ସେମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି। ନୂତନ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ ନକରିବା ପର‌୍ୟ୍ୟନ୍ତ ବସଭରାଜ ବମ୍ମାଇ ସିଏମ୍ ରହିବେ। ୨୦୨୧ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବି.ଏସ. ୟେଦୁରପ୍ପା ଏହି ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ବାସଭାରାଜ ବମ୍ମାଇ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ।

Get real time updates directly on you device, subscribe now.