fbpx

ରାଜ୍ୟରେ ଗଠନ ହେବ ସ୍ଥାୟୀ ପୋଲିସ ଚୟନ ବୋର୍ଡ: ସିପାହୀ ଠାରୁ SI ପର୍ଯ୍ୟନ୍ତ ନିଯୁକ୍ତି ସମ୍ପାଦନ କରିବ ବୋର୍ଡ, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ଗମନାଗମନର ସୁବିଧା ପାଇଁ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ନିୟମିତ ବ୍ୟବଧାନରେ ବିଭିନ୍ନ ବିଭାଗର ନିଯୁକ୍ତି ପ୍ରକ୍ରିୟାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଦାରଖ କରିବା ସହିତ ନିର୍ଦ୍ଦେଶ ଦେଉଛନ୍ତି । ତେବେ ରାଜ୍ୟ ପୋଲିସ ବିଭାଗର ନିଯୁକ୍ତି ପ୍ରକ୍ରିୟାକୁ ନେଇ କିଛି ବ୍ୟବସ୍ଥା ବଦଳିବାକୁ ଯାଉଛି । ଏଣିକି ରାଜ୍ୟରେ ଏକ ସ୍ଥାୟୀ ବୋର୍ଡ ଦ୍ୱାରା ପୋଲିସଙ୍କୁ ନିଯୁକ୍ତି କରାଯିବ ।

ସୂଚନା ମୁତାବକ, ରାଜ୍ୟରେ ଏକ ସ୍ଥାନୀୟ ପୋଲିସ ଚୟନ ବୋର୍ଡ ଗଠନ କରାଯିବ । ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ପୋଲିସ ବିଭାଗର ସିପାହୀଠାରୁ ଆରମ୍ଭ କରି ସବ-ଇନ୍ସପେକ୍ଟର ତଥା ମିନିଷ୍ଟରିଆଲ କର୍ମଚାରୀଙ୍କ ନିଯୁକ୍ତି ଦାୟିତ୍ୱ ଏହି ବୋର୍ଡ ସମ୍ପାଦନ କରିବେ । ଏହି ସ୍ଥାୟୀ ବୋର୍ଡ ଗଠନ ହେବା ଫଳରେ ପୋଲିସ ବିଭାଗରେ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ ହୋଇ ପାରିବ ବୋଲି ଆଶା କରାଯାଉଛି ।

ତେବେ ଏହି ସ୍ଥାୟୀ ବୋର୍ଡରେ ଜଣେ ଅଧ୍ୟକ୍ଷଙ୍କ ସହିତ ଅନ୍ୟ ଦୁଇଜଣ ସଦସ୍ୟ ରହିବେ । ବୋର୍ଡର ଅଫିସ କାର୍ଯ୍ୟ ପରିଚାଳନା ପାଇଁ ୨୪ଟି ପ୍ରଶାସନିକ ପଦ ଓ ଅନ୍ୟ ପଦ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମୋଦନ ମିଳିଛି । ସ୍ପେଶାଲ ଡିଜି ବା ଅତିରିକ୍ତ ଡିଜି ପାହ୍ୟାର ଜଣେ ଅଧିକାରୀଙ୍କୁ ଏହି ବୋର୍ଡର ଅଧ୍ୟକ୍ଷ ପଦରେ ଅବସ୍ଥାପିତ କରାଯିବ । ଏଥିସହିତ ଅତିରିକ୍ତ ଡିଜି ବା ଆଇଜି ପାହ୍ୟାର ଅଧିକାରୀ ଓ ଡିଆଇଜି ବା ଏସପି ପାହ୍ୟାର ଅଧିକାରୀଙ୍କୁ ଅନ୍ୟ ଦୁଇ ସଦସ୍ୟ ଭାବେ ଦାୟିତ୍ୱ ଦିଆଯିବ ।

Get real time updates directly on you device, subscribe now.