ଟଙ୍କା ବିଡା ଭିତରେ ନକଲି ନୋଟ ଥିଲେ, ସଂପୃକ୍ତ ବ୍ୟକ୍ତି ନାଁରେ ଏଫଆଇଆର

ନୂଆଦିଲ୍ଲୀ ; ନୋଟ୍ ବନ୍ଦୀ ପରେ ଏବେ ନୋଟ୍ ବଦଳ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଆଜି ଅର୍ଥାତ୍ ୨୩ ମେ ରୁ ଆରମ୍ଭ ହୋଇଛି ୨୦୦୦ ଟଙ୍କିଆ ନୋଟ୍ ର ବଦଳାଇବା ପ୍ରକ୍ରିୟା । ବ୍ୟାଙ୍କରେ ଲୋକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ସମୟରେ କେତେକ ଅମାନିଆ ନିଜର ଅସାଧୁ ପ୍ରକୃତି ଉପଯୋଗ କରି ବ୍ୟବସାୟ ଆରମ୍ଭ କରି ଦିଅନ୍ତି । ଏହି ଅମାନିଆଙ୍କ ପାଇଁ ଏକ ସତର୍କ ଘଣ୍ଟି ବାଜିଛି । ଯଦି ଏପରି କରିବାକୁ ଚିନ୍ତା କରନ୍ତି ତେବେ ଏବେ ଠୁଁ ସତର୍କ ହୋଇ ଯାଆନ୍ତୁ ।

ପୁଳା ପୁଳା ନୋଟ୍ ଅଦଳବଦଳ ସମୟରେ କିଛି ଲୋକ ଅଛନ୍ତି ଯେଉଁମାନେ ଅତି ଚତୁରତାର ସହ ନକଲି ନୋଟ ସେଥିରେ ମିଶାଇ ଦିଅନ୍ତି । କିନ୍ତୁ ଏମିତି କରୁଥିଲେ ବେଳ ହୁଁ ସତର୍କ ହୋଇ ଯାଆନ୍ତୁ । ଯଦି ଆପଣ ନକଲି ୨୦୦୦ ଟଙ୍କିଆ ନୋଟ୍ ବଦଳରେ ଅସଲି ନୋଟ୍ ନେବାକୁ ଚାହୁଁଛନ୍ତି ତେବେ ଏହା ମହଙ୍ଗା ପଡିପାରେ ।

ଏଭଳି ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ସେମାନଙ୍କ ନାଁରେ ଏଫଆଇଆର ପଞ୍ଜିକୃତ ହେବ ବୋଲି ସରକାର କଡା ନିର୍ଦ୍ଦେଶ ଦେଇଛନ୍ତି । ବ୍ୟାଙ୍କରେ ଦେଇଥିବା ଟଙ୍କା ବିଡା ମଧ୍ୟରୁ ଯଦି ୫ଟି ନୋଟ୍ ନକଲି ବାହାରେ ତେବେ ତାଙ୍କ ନାଁରେ ଏଫଆଇଆର ଦାଖଲ କରାଯିବ । ଏହି ମାମଲା କୋର୍ଟକୁ ମଧ୍ୟ ଯାଇପାରେ ।