fbpx

ଦୁଇ ଦିନରେ ଚାଲିଗଲା ଦୁଇଟି ଜୀବନ: ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ସାଜିଲା କାଳ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨୯ ତାରିଖ ଦିନ ପାଖାପାଖି ୧ଟା ସମୟରେ ଘରକୁ ଫେରୁଥିବା ସମୟରେ କଟକର ତାଳଦଣ୍ଡା କେନାଲ ବନ୍ଧ ରାସ୍ତାରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କନ୍ଦରପୁର ନିକଟରେ ନିର୍ମାଣାଧୀନ ରାସ୍ତାରେ କାରଟି ଆଗକୁ ଯାଇ ନପାରି ମାଟି ଭିତରେ ଧସି କେନାଲ ଭିତରେ ଗଳି ପଡ଼ିଥିଲା । ତେବେ ଦୁର୍ଭାଗ୍ୟବଶତଃ କାରଟି ପାଣି ଭିତରେ ଓଲଟି ପଡ଼ିବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ଉକ୍ତ ବ୍ୟକ୍ତି ଜଣଙ୍କର ଜଣେ ଡାକ୍ତର ହୋଇଥିବା ବେଳେ ଏହି ଦୁର୍ଘଟଣାରେ ତାଙ୍କର ପତ୍ନୀ ମଧ୍ୟ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି ।

ତେବେ ଏହି ଘଟଣାର ୨୪ ଘଣ୍ଟା ନ ପୂରୁଣୁ ଗତକାଲି ମଧ୍ୟ ଆଉ ଏକ ଦୁଃଖଦ ଘଟଣା ଘଟିଛି । ପାଇପ୍ ଲାଇନ୍ ତଳେ ଚାପି ହୋଇ ଜଣେ ଛାତ୍ରୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଛାତ୍ରୀ ଜଣଙ୍କର ଘରକୁ ଫେରୁଥିବା ସମୟରେ ବକ୍ସ ଡ୍ରେନ ଓ ହ୍ୟୁମ୍ ପାଇପ୍ ମଝିରେ ଚାପି ହୋଇ ତାଙ୍କର ଜୀବନ ଚାଲିଯାଇଛି । ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଭାବେ ପଡ଼ିରହିବା କାରଣରୁ ଦୁଇ ଦିନରେ ଦୁଇଟି ଜୀବନ ଚାଲି ଯାଇଛି ।

କୌଣସି ଭୁଲ ନକରି ବି ଦୁଇ ଦିନରେ ଦୁଇଟି ଜୀବନ ଚାଲି ଯାଇଛି । ଜନସାଧାରଣଙ୍କ ସୁବିଧା ପାଇଁ ସରକାର ଅନେକ ଯୋଜନା ପ୍ରଣୟନ କରିଥାନ୍ତି । ମାତ୍ର ଅନେକ ସମୟରେ ଏହି କାର୍ଯ୍ୟର ଦାୟିତ୍ୱ ନେଇଥିବା କିଛି ବ୍ୟକ୍ତିବିଶେଷ ଅବହେଳା କରିଥାନ୍ତି । ଫଳରେ ନିର୍ମାଣାଧୀନ କାର୍ଯ୍ୟ ଅଧାପନ୍ତରିଆ ଭାବେ ପଡ଼ିରହିଥାଏ । ସେଥିପାଇଁ ଲୋକମାନେ ଯିବା ଆସିବା କରିବା ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବା ସହ ବହୁ ଦୁର୍ଘଟଣା ଘଟିଥାଏ । ଏହି ଦୁର୍ଘଟଣା ଅନେକ ସମୟରେ ମଧ୍ୟ ଜୀବନ ନେଇଯାଇଥାଏ । ଏ କ୍ଷେତ୍ରରେ ପଦକ୍ଷେପ ନିଆଯିବା ଜରୁରୀ ।

Get real time updates directly on you device, subscribe now.