fbpx

ମହଙ୍ଗା ଚିକିତ୍ସା ଲୋକଙ୍କୁ ଗରିବ କରାଉଛି: ପ୍ରତିବର୍ଷ ମୋଟ ଜନସଂଖ୍ୟାର ୭-୮ ପ୍ରତିଶତ ଲୋକ ଘରବାଡ଼ି ବିକି ବର୍ବାଦ ହେଉଛନ୍ତି- ରିପୋର୍ଟ

ନୂଆଦିଲ୍ଲୀ: ଦିନକୁ ଦିନ ମଣିଷ ଆଧୁନିକତା ଆଳରେ ଆଗକୁ ଆଗକୁ ମାଡ଼ି ଚାଲିଛି । ଫଳରେ ଆମର ଆଚାର, ବ୍ୟବହାର, ଚାଲି ଚଳଣ, ଖାଇବା, ପିଇବା, ପିନ୍ଧିବା ସବୁକିଛି ବଦଳିବାରେ ଲାଗିଛି । ଏଥିସହିତ ପ୍ରତ୍ୟେକ ଜିନିଷର ଦାମ୍ ବଢ଼ିବାରେ ଲାଗିଛି । ତେବେ ଏପରି ବିଭିନ୍ନ ସମସ୍ୟା ମଧ୍ୟରୁ ଏକ ବଡ଼ ସମସ୍ୟା ହେଉଛି ସ୍ୱାସ୍ଥ୍ୟ ସମସ୍ୟା । ଜଣେ ମଣିଷ ତା’ ଜୀବନ କାଳରେ ଯେତିକି ଟଙ୍କା ରୋଜଗାର କରୁଥିବ, ବୋଧହୁଏ ତା’ର ଅଧା ସେ କେବଳ ଚିକିତ୍ସା ପାଇଁ ଡାକ୍ତରଙ୍କୁ ଗଣୁଥିବ । ସେଥିପାଇଁ କୁହାଯାଏ ସ୍ୱାସ୍ଥ୍ୟ ହିଁ ସମ୍ପଦ ।

ଆମର ଜେଜେବାପା, ଜେଜେମାଆଙ୍କ ସମୟରେ ଲୋକମାନେ ଅଧିକାଂଶ ଲୋକ ୮୦-୧୦୦ ବର୍ଷ ବଞ୍ଚୁଥିଲେ । ମାତ୍ର ଆଜିକାଲି ୫ ବର୍ଷର ଛୁଆମାନେ କ୍ୟାନସରରେ ଆକ୍ରାନ୍ତ ହେଉଛନ୍ତି । ୪୦ ବର୍ଷର ଯୁବକ ଦେହରେ ମଧୁମେହ, ଅଣ୍ଟା ପିଠି ଯନ୍ତ୍ରଣା, ମଦହଜମି, ହାର୍ଟ ସମସ୍ୟା ଆଦି ଦେଖାଯାଉଛି । ଜିମ୍ କରୁଥିବା, ସୁସ୍ଥ ସବଳ ଦେଖାଯାଉଥିବା ମଣିଷଟି ୫୦ ବର୍ଷ ପୂର୍ବରୁ ହାର୍ଟ ଆଟାକରେ ମରୁଛି । ତେଣୁ ଆମର ଉପର ଚିକ୍କଣ, ଭିତର ଫମ୍ପା ଏହା ଆମକୁ ମାନିବାକୁ ପଡ଼ିବ ।

ତେବେ ମହଙ୍ଗା ଚିକିତ୍ସା କାରଣରୁ ଅନେକ ଲୋକ ସାରା ଜୀବନ ଗରିବ ହୋଇ ରହିଯାଉଛନ୍ତି । ଅନେକ ଲୋକ ସେମାନଙ୍କର ପରିଜନଙ୍କୁ ସୁସ୍ଥ କରିବା ପାଇଁ ବ୍ୟାଙ୍କରୁ ସବୁ ଟଙ୍କା ଉଠାଇ, ଧାର ଉଧାର କରି, ଜମିବାଡ଼ି, ଘର ବିକ୍ରି କରିଦେଇଥାନ୍ତି । ଏଭଳି କାରଣ ପାଇଁ ଦେଶର ୭-୮ ପ୍ରତିଶତ ଲୋକ ଗରିବ ରେଖା ତଳକୁ ଚାଲିଯାଉଥିବା ଜଣାପଡ଼ିଛି । ଲୋକମାନେ ସେମାନଙ୍କର ରୋଜଗାରର ୪୩ ପ୍ରତିଶତ ଅର୍ଥ କେବଳ ଚିକିତ୍ସାରେ ଖର୍ଚ୍ଚ କରୁଥିବା ଜଣାପଡ଼ିଛି ।

ଦେଶରେ ସ୍ୱାସ୍ଥ୍ୟ ସେବା ଯେତିକି ମହଙ୍ଗା ହେଉଛି, ସେହି ମାତ୍ରାରେ ରୋଗୀମାନେ ଗରିବ ହେବାରେ ଲାଗିଛନ୍ତି । କ୍ରମାଗତ ଭାବେ ଚିକିତ୍ସା ବଢ଼ୁଥିବାରୁ ପ୍ରତ୍ୟେକ ବର୍ଷ ଜନସଂଖ୍ୟାର ୭ ପ୍ରତିଶତ ଲୋକ ଗରିବ ସୀମାରେଖା ତଳକୁ ଚାଲିଯାଉଛନ୍ତି । ଅକ୍ସଫେମର ଇଣ୍ଟରନ୍ୟାସନାଲର ଏକ ସଦ୍ୟ ରିପୋର୍ଟ ମୁତାବକ, ଯଦି ଦେଶର ସମସ୍ତ ଅରବପତିଙ୍କ ମୋଟ ସମ୍ପତ୍ତିର ଦୁଇ ପ୍ରତିଶତକୁ ବଣ୍ଟନ କରି ଦିଆଯିବ, ତେବେ ଏହି ଅର୍ଥରାଶିରେ ଦେଶର ଗରିବଙ୍କ ପୋଷଣ ପାଇଁ ଆବଶ୍ୟକ ହେଉଥିବା ପାଖାପାଖି ୪୦,୪୦୦ କୋଟିକୁ ଭରଣା କରାଯାଇ ପାରିବ । ଭାରତରେ ଆୟୁଷ୍ମା ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯେ।।ଜନା ପରି ବହୁ ଯୋଜନା କାର୍ଯ୍ୟକାରୀ ହେଉଥିଲେ ହେଁ ଭାରତରେ ଦୁନିଆର ସବୁଠାରୁ ବେଶି ନବଜାତ ମୃତ୍ୟୁବରଣ କରୁଛନ୍ତି ।

Get real time updates directly on you device, subscribe now.