fbpx

ନୂଆ ଜିଲ୍ଲାପାଳଙ୍କୁ ମିଳିଲା ନିଯୁକ୍ତି: ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଓ ସର୍ବଭାରତୀୟ ପୋଲିସ ସେବା (ଆଇପିଏସ) ଅଧିକାରୀ ସ୍ତରରେ ରାଜ୍ୟ ସରକାର ଅଦଳବଦଳ କରିଥିଲେ । ନୂଆ ସ୍ଥାନରେ ନୂଆ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା । ତେବେ ଏହ ମଧ୍ୟରେ ଆଜି ରାଜ୍ୟ ସରକାର ଜଣେ ପ୍ରଶାସନିକ ଅଧିକାରୀଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ।

ସୂଚନା ମୁତାବକ, ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀ ବିମଳେନ୍ଦୁ ରାୟଙ୍କୁ ନୂଆ ଦାୟିତ୍ୱ ପ୍ରଦାନ କରାଯାଇଛି । ରାଜ୍ୟ ସରକାରଙ୍କ ୱାର୍କସ ବିଭାଗର ସ୍ପେଶାଲ ସେକ୍ରେଟାରୀ ଭାବେ କାର୍ଯ୍ୟରତ ଶ୍ରୀ ରାୟଙ୍କୁ ସୋନପୁରର କଲେକ୍ଟର ଓ ଜିଲ୍ଲା ମାଜିଷ୍ଟ୍ରେଟ ଭାବେ ନିଯୁକ୍ତି ଦିଆଯାଇଛି । ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ମାସ ୧୮ ତାରିଖରେ ଆଇପିଏସ ସ୍ତରରେ ରାଜ୍ୟ ସରକାର ଅଦଳବଦଳ କରିଥିଲେ । ୫ଟି ଜିଲ୍ଲାର ଏସପିଙ୍କୁ ପରିବର୍ତ୍ତନ କରିବା ସହିତ ରାଜ୍ୟ ସରକାର ମୋଟ ୧୮ ଜଣ ଅଧିକାରୀଙ୍କୁ ନୂଆ ସ୍ଥାନରେ ଦାୟିତ୍ୱ ପ୍ରଦାନ କରିଥିଲେ । ମିତ୍ରଭାନୁ ମହାପାତ୍ରଙ୍କୁ ରାଉରକେଲାର ଏସପି ଓ ବି. ଗଙ୍ଗାଧରଙ୍କୁ ମୟୂରଭଞ୍ଜ ଏସପି ଭାବେ ଅବସ୍ଥାପିତ କରାଯାଇଥିଲା ।

ସେହିପରି ମୁକେଶ କୁମାର ଭାମୁଙ୍କୁ ସମ୍ବଲପୁର ଏସପି, କୁସଲକର ନୀତିନ ଦାଗଡ଼ୁଙ୍କୁ କେଉଁଝର ଏସପି ଓ ଖିଲାରୀ ରିଷିକେଶ ଡ୍ୟାନ୍ଦେଓଙ୍କୁ ବଲାଙ୍ଗିର ଏସପି ଭାବେ ଅବସ୍ଥାପିତ କରାଯାଇଥିଲା । ସି.ଏସ ମିନାଙ୍କୁ କୋରାପୁଟ ଡିଆଇଜିପି, ଏ. ସିଂହଙ୍କୁ ଡିଆଜିପି ଏସଆଇଡବ୍ଲ୍ୟୁ, ରାଜେଶ ପଣ୍ଡିଙ୍କୁ ଡିଆଇଜିପି ଏଫଏସ ଓ ଏଚଜି, ଆଶିଷ ସିଂହଙ୍କୁ ଆଇଜିପି କଟକ ଓ ଆଇଜିପି ଏସଏଫଏସଏଲ ଦାୟିତ୍ୱ ଦିଆଯାଇଥିଲା ।

Get real time updates directly on you device, subscribe now.