ବାହାନଗା ଦୁର୍ଘଟଣାଗ୍ରସ୍ତ ହେଲେ ଦୁଇ ଏକ୍ସପ୍ରେସ୍‌ ଟ୍ରେନ୍‌, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଭୁବନେଶ୍ବର: ଶୁକ୍ରବାର ସନ୍ଧ୍ୟା ସମୟରେ ବାଲେଶ୍ୱର ବାହାନଗା ରେଳ ଷ୍ଟେସନ ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି। କରମଣ୍ଡଳ ଏକ୍ସପ୍ରେସ୍‌ ଟ୍ରେନ୍‌ (୧୨୮୪୧) ଓ ବେଙ୍ଗାଲୁରୁ-ହାୱଡ଼ା ଏକ୍ସପ୍ରେସ୍‌ (୧୨୮୬୪) ଦୁର୍ଘଟଣା ଗ୍ରସ୍ଥ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା ମିଳିଥିବା ଖବର ଅନୁଯାୟୀ ୫୦ ରୁ ଉର୍ଦ୍ଧ ଲୋକ ମୃତ୍ୟ ବାରଣ କରିଥିବା କୁହାଯାଉଛି। ସେହିପରି ୩୦୦ରୁ ଅଧିକ ଯାତ୍ରୀ ଆହତ ଏବଂ ଗୁରୁତର ଥିବାରୁ ସେମାନଙ୍କୁ ସୋର, ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଏବଂ ବାଲେଶ୍ବର ମେଡିକାଲରେ ଭର୍ତ୍ତି କରାଯିବା ସହିତ ଅନ୍ୟ ଡାକ୍ତରଖାନାକୁ ମଧ୍ୟ ସ୍ଥାନାନ୍ତରିତ କରାଯାଇଛି। ତେବେ ହଠାତ ଏତେବଡ଼ ଦୁର୍ଘଟଣା କେମିତି ହେଲା ଜାଣନ୍ତୁ।

ସୂଚନା ମୁତାବକ କରମଣ୍ଡଳ ଏକ୍ସପ୍ରେସ୍‌ ଆଜି ସନ୍ଧ୍ୟା ୬ଟା ୫୧ ମିନିଟରେ ବାଲେଶ୍ବର ଜିଲ୍ଲା ବାହାନଗା ରେଳଷ୍ଟେସନ ନିକଟ ପଣପଣାଠାରେ ପହଞ୍ଚିଥିଲା। ଏହି ସମୟରେ କରମଣ୍ଡଳର କିଛି ବଗି ଲାଇନ୍‌ଚ୍ୟୁତ ହୋଇ ଯାଇଥିଲା। କରମଣ୍ଡଳ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହେବାର ଅଳ୍ପ ସମୟ ମଧ୍ୟରେ ବେଙ୍ଗାଲୁର-ହାୱଡା ଏକ୍ସପ୍ରେସ୍‌ ଟ୍ରେନ୍‌ ଘଟଣାସ୍ଥଳକୁ ପହଞ୍ଚିଥିଲା। ତେବେ ପୂର୍ବରୁ ପଣପଣାଠାରେ ଦୁର୍ଘଟଣାର ସାମ୍ନା କରିଥିବା କରମଣ୍ଡଳ ଏକ୍ସପ୍ରେସ୍‌ର କିଛି ବଗି ବଗିର ସଂସ୍ପର୍ଶରେ ଆସିଥିଲା ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ୍‌। ଉଭୟ ଟ୍ରେନ୍‌ର ପ୍ରାୟ ୧୭ଟି ବଗି ଲାଇନଚ୍ୟୁତ ହେବା ପରେ ପ୍ରାୟ ୩୫୦ରୁ ଊର୍ଦ୍ଧ୍ବ ଲୋକ ଆହତ ଏବଂ ଗୁରୁତର ହୋଇଥିଲେ।

ଏହି ଦୁର୍ଘଟଣାକୁ ଓଡ଼ିଶା ଇତିହାସରେ ସବୁଠାରୁ ବଡ଼ ଟ୍ରେନ୍‌ ଦୁର୍ଘଟଣା କୁହାଯାଉଛି। ତେବେ ସନ୍ଧ୍ୟାରେ ଦୁର୍ଘଟଣା ହୋଇଥିବାରୁ ଅନ୍ଧାର ରାତିରେ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି।ତେବେ ଉଦ୍ଧାର କାର୍ଯ୍ୟ କରିବା ପାଇଁ ଘଟଣାସ୍ଥଳରେ ଏନ୍‌ଡିଆରଏଫ୍‌, ଓଡ୍ରାଫ୍‌, ଅଗ୍ନିଶମ ବାହିନୀ ଓ ରେଲୱେ ଏବଂ ସ୍ଥାନୀୟ ପୋଲିସ ନିୟୋଜିତ ଅଛନ୍ତି। ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ଯେ, ୧୦୦ ଟି ଆମ୍ବୁଲାନ୍ସ ଏବଂ ୫୦ଟି ବସ୍‌ରେ ଯାତ୍ରୀମାନଙ୍କୁ ହସ୍‌ପିଟାଲ ନିଆଯାଉଛି। ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ରେଳବାଇ ପକ୍ଷରୁ ଉଦ୍ଧାର କାର୍ଯ୍ୟ ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି। କେନ୍ଦ୍ର ରେଳ ମନ୍ତ୍ରୀ ମଧ୍ୟ ସୂଚନା ଦେଇଛନ୍ତି କି, ଉଦ୍ଧାରକାର୍ଯରେ ଏୟାରଫୋର୍ସ ମଧ୍ୟ ନିୟୋଜିତ ହେବ।