fbpx

(Video) ବାହାନଗା ଟ୍ରେନ ଦୁର୍ଘଟଣା: କୁଆଡେ ଗଲେ କରମଣ୍ଡଳ ଏକ୍ସପ୍ରେସର ଲୋକୋ ପାଇଲଟ?

ବାଲେଶ୍ୱର: ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ଦୁର୍ଘଟଣାକୁ ୨୪ ଘଣ୍ଟା ବିତି ଯାଇଥିବା ବେଳେ ଏବେ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଶେଷ ହୋଇନି । ଲଗାତାର ଅନ୍ତରାଳରେ ମୃତଦେହ ଉଦ୍ଧାର କରାଯାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୮୮ରେ ପହଞ୍ଚିଛି ମୃତ୍ୟୁସଂଖ୍ୟା । ସେପଟେ ଆହତଙ୍କ ସଂଖ୍ୟା ପ୍ରାୟ ୧୦୦୦ ପାଖାପାଖି ପହଞ୍ଚି ସାରିଲାଣି । ତେବେ ଏଭଳି ଏକ ଭୟାନକ ଦୁର୍ଘଟଣାରେ ଲୋକୋ ପାଇଲଟଙ୍କ ପରିସ୍ଥିତିକୁ ନେଇ ଉଠିଛି ଅନେକ ପ୍ରଶ୍ନ । କାରଣ ଏପର୍ଯ୍ୟନ୍ତ ତାଙ୍କର କୌଣସି ପରିଚୟ କିମ୍ବା ସନ୍ଧାନ ହସ୍ତଗତ ହୋଇନାହିଁ ।

ଏହି ଭୟଙ୍କର ଦୁର୍ଘଟଣାରେ ମୃତାହତଙ୍କ ସଂଖ୍ୟା ବଢି ବଢି ଚାଲିଥିବା ବେଳେ ଅନେକଙ୍କ ମନରେ ଏବେ ଉଠୁଛି ଏହି ପ୍ରଶ୍ନଟି । ଯେ ଏତେ ବଡ ଦୁର୍ଘଟଣା ଘଟିବା ପରେ ଟ୍ରେନର ଚାଳକ ବା ଲୋକୋ ପାଇଲଟ୍ ଏବେ କେଉଁଠି ଅଛନ୍ତି । ତାଙ୍କ ଅବସ୍ଥା କିପରି ଅଛି ? ଆଉ ଏହାରି ଭିତରେ ସାମନାକୁ ଆସିଛି ଏହି ଫଟୋ । ଯେଉଁଥିରେ ଦେଖିବାକୁ ମିଳୁଛି କି ଦୁର୍ଘଟଣାର ଶିକାର ହୋଇଥିବା କରମଣ୍ଡଳ ଏକ୍ସପ୍ରେସର ଲୋକୋ ପାଇଲଟ୍ ଏବଂ ଆସିଷ୍ଟାଣ୍ଟ ପାଇଲଟ୍ ଦୁଇଜଣ ଚିକିତ୍ସାଧୀନ ଅଛନ୍ତି । କୁହାଯାଉଛି କି ଇଏ ହେଉଛନ୍ତି କରମଣ୍ଡଳ ଏକ୍ସପ୍ରେସ୍ର ଲୋକୋ ପାଇଲଟ୍ ଜି.ଏନ ମହାନ୍ତି ଆଉ ଆର ଜଣକ ହେଉଛନ୍ତି ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍ ଏଚ୍. ବେହେରା ।

ଲୋକୋ ପାଇଲଟ୍ ଜି.ଏନ ମହାନ୍ତିଙ୍କ ଘର କଟକ ଜିଲ୍ଲାରେ ହୋଇଥିବା ବେଳେ ସେ ଏବେ ଆଇସିୟୁରେ ଚିକିତ୍ସିତ ହେଉଥିବା କୁହାଯାଉଛି । ଆଉ ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍ ଏଚ୍. ବେହେରାଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ସେ ମଧ୍ୟ ଚିକିତ୍ସିତ ହେଉଛନ୍ତି । ତେବେ କେଉଁଠି ଏମାନେ ଚିକିତ୍ସିତ ହେଉଛନ୍ତି ସେ ସମ୍ପର୍କରେ ସୂଚନାକୁ ସୁରକ୍ଷା କାରଣରୁ ଗୁପ୍ତ ରଖାଯାଇଛି । ତେବେ ଏମାନେ ସୁସ୍ଥ ହେବା ପରେ ନିଶ୍ଚୟ ଦୁର୍ଘଟଣାର କାରଣ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜଣାପଡିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.