BMC ଜାରି କଲା ହେଲପ୍ ଲାଇନ୍ ନମ୍ବର: ଫୋନ୍ କଲେ ମିଳିପାରିବ ମୃତକଙ୍କ ସୂଚନା, ଭୁବନେଶ୍ୱରରେ ସଂରକ୍ଷିତ ରହିଛି ୧୭୦ଟି ମୃତଦେହ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨ ତାରିଖ ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲା ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାର ମୃତକଙ୍କ ହରାଇ ସେମାନଙ୍କର ପରିଜନମାନେ କାନ୍ଦୁଛନ୍ତି । ଏହି ଦୁର୍ଘଟଣାରେ ୩୦୦ରୁ ଅଧିକ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଏହି ଭୟଙ୍କର ରେଳ ଦୁର୍ଘଟଣା ସାରା ବିଶ୍ୱରେ ଚହଳ ପକାଇ ଦେଇଥିଲା । ସମସ୍ତ ମୃତାହତଙ୍କ ପାଇଁ ବିଶ୍ୱର କୋଣ ଅନୁକୋଣରୁ ଛୁଟି ଆସିଥିଲା ସମବେଦନାର ବାର୍ତ୍ତା ।

ତେବେ ଏହା ମଧ୍ୟରେ ବହୁ ମୃତକଙ୍କୁ ବର୍ତ୍ତମାନ ସୁଦ୍ଧା ଚିହ୍ନଟ କରାଯାଇ ନାହିଁ । ଭୟଙ୍କର ଦୁର୍ଘଟଣାରେ ଶରୀର କ୍ଷତ ବିକ୍ଷତ ହୋଇ ଯାଇଥିବାରୁ ସେମାନଙ୍କୁ ଚିହ୍ନଟ କରିବା ମୁସ୍କିଲ ହୋଇ ଯାଇଛି । ଅନେକ ଲୋକ ନିଜର ସମ୍ପର୍କୀୟଙ୍କୁ ଖୋଜି ଖୋଜି ନୟାନ୍ତ ହୋଇ ପଡ଼ିଲେଣି । କିଏ ପୁଅକୁ ଖୋଜୁଛି ତ ଆଉ କି ବାପାକୁ ଖୋଜୁଛି । ଶହ ଶହ ଲୋକଙ୍କୁ ଲୁହର ସାଗରରେ ଭସାଇ ଦେଇ ଯାଇଛି ଏହି ନିଷ୍ଠୁର ଦୁର୍ଘଟଣା ।

ତେବେ ମୃତକଙ୍କ ଚିହ୍ନଟ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ସେଥିପାଇଁ ବିଏମସି ଜାରି କରିଛି ହେଲପ ଲାଇନ୍ ନମ୍ବର । ‘୧୯୨୯’ ନମ୍ବରକୁ ଫୋନ୍ କରି ସଂପର୍କୀୟମାନେ ସେମାନଙ୍କର ପରିଜନଙ୍କୁ ଚିହ୍ନଟ କରିପାରିବେ । ଭୁବନେଶ୍ୱରର ଏକାଧିକ ହସ୍ପିଟାଲରେ ୧୭୦ଟି ମୃତଦେହକୁ ସଂରକ୍ଷିତ କରି ରଖାଯାଇଛି । କେଉଁଠି ମୃତଦେହ ରଖାଯାଇଛି ସେନେଇ ଫୋନ୍ କରି ସେମାନେ ଜାଣିପାରିବେ । ତେଣୁ ସଂପର୍କୀୟମାନେ ଗୋଟିଏ ହସ୍ପିଟାଲରୁ ଅନ୍ୟ ହସ୍ପିଟାଲକୁ ଘୂରି ବୁଲିବାର ଆବଶ୍ୟକତା ନାହିଁ । ଏପରିକି ସଂପର୍କୀୟ ଚାହିଁଲେ ରାଜଧାନୀରେ ସେମାନଙ୍କର ନିଜର ଲୋକଙ୍କର ଅନ୍ତିମ ସଂସ୍କାର କରିପାରିବେ । ମୃତକଙ୍କ ଫଟୋ ଓ ବିବରଣୀ ୱେବସାଇଟରେ ଉପଲବ୍ଧ ରହିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।