କାନ୍ଦୁଛି ଶବର ପାହାଡ଼, ରକ୍ତକୁ ଖୋଜୁଛି ରକ୍ତ: ବାପା-ଭାଇ-ପୁଅଙ୍କୁ ଅପେକ୍ଷା କରି ରହିଛନ୍ତି ୨୦୦ରୁ ଅଧିକ ମର ଶରୀର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାହାନଗାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ସମଗ୍ର ମାନବ ସମାଜ ପାଇଁ ଏକ ଅଭିଶାପ ପାଲଟି ଯାଇଛି । ଗତ ୨ ତାରିଖ ସନ୍ଧ୍ୟାରେ ଘଟିଥିବା ଏହି ଘଟଣାକୁ ଏହା ମଧ୍ୟରେ ୪୦ ଘଣ୍ଟାରୁ ଅଧିକ ସମୟ ବିତି ଗଲାଣି । ଏହା ପରେ ବି ୨୦୦ରୁ ଅଧିକ ମୃତକଙ୍କୁ ଚିହ୍ନଟ କରାଯାଇ ନଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲରେ ୧୭୦ଟି ମରଶରୀରକୁ ସଂରକ୍ଷିତ କରି ରଖାଯାଇଛି ।

ତେବେ ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସେମାନଙ୍କର ମରଶରୀରକୁ ଚିହ୍ନବା କଷ୍ଟକର ହୋଇ ପଡ଼ିଛି । ଏବେ ବି ଅନେକ ନିଜର ଆତ୍ମୀୟସ୍ୱଜନଙ୍କୁ ପାଗଳଙ୍କ ଭଳି ବିଭିନ୍ନ ହସ୍ପିଟାଲରେ ଖୋଜି ବୁଲୁଛନ୍ତି । ତେଣୁ ମୃତଦେହକୁ ଚିହ୍ନଟ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ହେଲପ୍ ଲାଇନ୍ ନମ୍ବର ଜାରି କରାଯାଇଛି । ଫୋନ କଲେ ମୃତଦେହ କେଉଁଠି ରହିଛି ସେନେଇ ସୂଚନା ମିଳିପାରିବ ।

ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ସଂପର୍କୀୟମାନେ ଏହା ମଧ୍ୟରେ ଶବ ଚିହ୍ନଟ ପାଇଁ ଓଡ଼ିଶାକୁ ଧାଇଁ ଆସିଛନ୍ତି । ମୃତ ବ୍ୟକ୍ତିଙ୍କ ଫଟୋ ସହିତ ଅନ୍ୟ ତଥ୍ୟ ୱେବସାଇଟରେ ପ୍ରଦାନ କରାଯାଇଛି । ଏଥିସହିତ ଟେବୁଲରେ ରଖାଯାଇଥିବା ବହୁ ଫଟୋରୁ ସଂପର୍କୀୟମାନେ ସେମାନଙ୍କର ପରିଜନଙ୍କୁ ଚିହ୍ନଟ କରୁଛନ୍ତି । ଆଜି ରକ୍ତ ରକ୍ତକୁ ଖୋଜୁଛି । ୨୦୦ ଶବ ମଧ୍ୟରେ କିଏ ନିଜ ରକ୍ତର ତାହା ଜାଣିବା ମୁସ୍କିଲ ହୋଇ ପଡ଼ିଛି । ନିଜର ବାପା, ଭାଇ, ପୁଅର ମୁହଁକୁ ଥରେ ଦେଖିବାକୁ ଏଠି ସଂଘର୍ଷ କରିବାକୁ ପଡ଼ୁଛି । ସତରେ ବିଧାତା ତୁ କେତେ ନିଷ୍ଠୁର ।

କି ଦାରୁଣ ଦୁଃଖ ଦେଲା ବିଧାତା, ଏଠି ଜଣେ ସମ୍ପର୍କୀୟଙ୍କୁ ନିଜର ବାପା, ଭାଇ, ପୁଅଙ୍କୁ ଚିହ୍ନଟ କରିବାକୁ ଫଟୋର ସାହାରା ନେବାକୁ ପଡ଼ୁଛି । ଦୁର୍ଘଟଣାର ତାଣ୍ଡବ ଆଗରେ ସତେ ଯେମିତି ଆଜି ରକ୍ତର ସମ୍ପର୍କ ହାରି ଯାଇଛି । ଅନ୍ୟପଟେ ଶବର ପାହାଡ଼ରେ ଛିଡ଼ା ହୋଇ କାନ୍ଧୁଛି ସେଇ ନିରୀହ ଆତ୍ମାଟି । ‘ମୋତେ ନେଇ ଅନ୍ତିମ ସଂସ୍କାର କରିଦିଅ, ମୋତେ ଶାନ୍ତି ଦିଅ’ ଏଭଳି ବିକଳ ଚିକ୍ରାର ଶୁଣାଯାଉଛି । କାହାର ଭାଇ ନାହିଁ ତ କାହାର ବାପା ନାହିଁ । ରକ୍ତର ସମ୍ପର୍କକୁ ଚିହ୍ନଟ କରିବା ପାଇଁ ଏଠି ଫଟୋ ହିଁ କେବଳ ଶେଷ ସାହାରା ପାଲଟିଛି ।