fbpx

ଏବେଠୁ ଉତ୍ପାତ କଲାଣି ‘ବିପର୍ଯ୍ୟୟ’: ସମୁଦ୍ର କୂଳରେ ବୁଲିବା ବେଳେ ମାଡି ଆସିଲା ବିଶାଳ ଲହଡି, ଆଉ ତା’ପରେ…

ନୂଆଦିଲ୍ଲୀ: ସ୍ଥଳ ଭାଗ ଆଡକୁ ମାଡି ଆସୁଥିବା ବାତ୍ୟା ‘ବିପର୍ଯ୍ୟୟ’କୁ ନେଇ ବୃଦ୍ଧି ପାଉଛି ଭୟ । ଗୁଜୁରାଟର କଚ୍ଛ ଅଞ୍ଚଳରେ ଏହା ଲାଣ୍ଡଫଲ କରିବାକୁ ଯାଉଥିବା ବେଳେ ଉପକୂଳ ଅଞ୍ଚଳକୁ ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ତେବେ ଏହା ଭିତରେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । କିଛି ସମୁଦ୍ର କୂଳରେ ବୁଲୁଥିବା ବେଳେ ‘ବିପର୍ଯ୍ୟୟ’ର ତାଣ୍ଡବଲୀଳା ଦେଖିଛନ୍ତି । ବାତ୍ୟା ପୂର୍ବରୁ ଅଶାନ୍ତ ସମୁଦ୍ରର ଭୟଙ୍କର ରୂପ ଦେଖିଛନ୍ତି ଏହି ପର୍ଯ୍ୟଟକ ।

ରିପୋର୍ଟ ଅନୁସାରେ, ଭାଇରାଲ ହେଉଥିବା ଏହି ଭିଡିଓଟି ମହାରାଷ୍ଟ୍ର ରତ୍ନଗିରିର ଗଣପତିପୁଲେ ଅଞ୍ଚଳର ବୋଲି ଜଣାଯାଇଛି । ଏହି ଭିଡିଓରେ ଦେଖାଯାଇଛି ଯେ, କିଛି ଲୋକ ସମୁଦ୍ର କୂଳରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିଥିଲେ । କିନ୍ତୁ ସୌନ୍ଦର୍ଯ୍ୟ ମଧ୍ୟରେ ପ୍ରକୃତି ଦେଖାଇଛି ଏହାର କରାଳ ରୂପ । ହଠାତ ସମୁଦ୍ର ମଝିରୁ ପର୍ଯ୍ୟଟକମାନଙ୍କ ଆଡକୁ ମାଡି ଆସିଥିଲା ଏକ ବିଶାଳ ଜୁଆର । ଚାହୁଁ ଚାହୁଁ କିଛି ଲୋକଙ୍କୁ କବଜା କରି ନେଇଥିଲା ଏହି ବିଶାଳ ଲହଡି । ତେବେ ଏମାନଙ୍କ ମଧ୍ୟରୁ କୌଣସି ମୃତାହତ ଖବର ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡିନାହିଁ । ସେହିପରି ଆଉ ଏକ ଭିଡିଓରେ କିଛି ଲୋକ ଜୁଆରରୁ ବଞ୍ଚିବା ପାଇଁ ଦୂରକୁ ଦୌଡି ପଳାଇ ଯାଇଥିଲେ । କିନ୍ତୁ ଅଚାନକ ଏତେ ବଡ ଲହଡି ଆସିଥିଲା, ଯାହାର ପାଣି ସିଧା ପାଖରେ ଥିବା କିଛି ଦୋକାନ ଭିତରେ ପଶି ଯାଇଥିବା ଦେଖାଯାଇଛି ।

ସେହିପରି ମୁମ୍ବାଇର ଜୁହୁ କୋଲିୱାଡା ନିକଟ ସମୁଦ୍ରରେ ନିଖୋଜ ହୋଇଥିବା ୪ ପିଲାଙ୍କ ମଧ୍ୟରୁ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସମସ୍ତଙ୍କୁ ଉଦ୍ଧାର କରି ସରକାରୀ କୁପର ମେଡିକାଲକୁ ନିଆ ଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଏହି ବାତ୍ୟା ‘ବିପର୍ଯ୍ୟୟ’ ବିଭିନ୍ନ ଅଞ୍ଚଳରେ ଅଧିକ କ୍ଷୟକ୍ଷତି ହେବା ନେଇ ଆଶଙ୍କା କରାଯାଉଛି । ଆସନ୍ତା ଜୁନ ୧୫ ତାରିଖରେ ବାତ୍ୟା ‘ବିପର୍ଯ୍ୟୟ’ ସୌରାଷ୍ଟ୍ର ଏବଂ କଚ୍ଛ କୂଳରେ ଲାଣ୍ଡଫଲ କରିବ ବୋଲି ଅନୁମାନ କରାଯାଉଛି । ତେବେ ଏହି ବାତ୍ୟାର ପ୍ରଭାବରେ ପବନର ବେଗ ଘଣ୍ଟା ପ୍ରତି ୧୨୫-୧୩୫(ସର୍ବାଧିକ ୧୫୦) କି.ମି. ବହିପାରେ ।

Get real time updates directly on you device, subscribe now.