fbpx

ପ୍ରାଣ ନେଉଛି Heat Stroke: ପ୍ରଚଣ୍ଡ ଖରା ଯୋଗୁଁ ୩ ଦିନରେ ୯୮ ଜଣଙ୍କ ମୃତ୍ୟୁ, ରେଡ ଆଲର୍ଟ ଜାରି

ନୂଆଦିଲ୍ଲୀ: ପ୍ରଚଣ୍ଡ ଖରା ଏବଂ ଅସହ୍ୟ ତାତିରେ ଏବେ ଛଟପଟ ହେଉଛନ୍ତି ଦେଶବାସୀ । ସକାଳ ୮ଟା ରେ ମଧ୍ୟ ବାହାରକୁ ବାହାରିବା ପାଇଁ ଡରୁଛନ୍ତି ଲୋକେ । ଗତ କିଛି ଦିନରୁ ଦେଶର ବିଭିନ୍ନ ଅଞ୍ଚଳରେ ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳି ଲୋକଙ୍କ ପାଇଁ କାଳ ପାଲଟିଯାଇଛି । ତେବେ ବିଶେଷ କରି ଉତ୍ତର ଭାରତରେ ଖରା ଏବଂ ଗରମର ପରିମାଣ ଖୁବ ଅଧିକ ରହିଛି । ଏହାଯୋଗୁଁ ହିଟୱେଭ ମାମଲା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଗତ ୩ ଦିନରେ ପ୍ରାୟ ୯୮ ଜଣ ପ୍ରାଣ ହରାଇଥିବା ଜାଣିବାକୁ ମିଳିଛି ।

ସୂଚନା ଅନୁସାରେ, ଉତ୍ତରପ୍ରଦେଶରୁ ପ୍ରାୟ ୫୪ ଜଣ ଲୋକ ଏହି ଗରମ ବା ପ୍ରଚଣ୍ଡ ଖରା ଯୋଗୁଁ ପ୍ରାଣ ହରାଇଛନ୍ତି । ଗତ ୩ ଦିନରେ ଜ୍ୱର, ଶ୍ୱାସ ଜନିତ ସମସ୍ୟା ଏବଂ ସ୍ୱାସ୍ଥ୍ୟ ସମସ୍ୟା ଇତ୍ୟାଦି ମାମଲାରେ ପ୍ରାୟ ୪୦୦ ରୁ ଅଧିକ ଲୋକଙ୍କୁ ବଲିଆର ଏକ ମେଡିକାଲରେ ଭର୍ତ୍ତି କରାଯାଇଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ ରୋଗୀଙ୍କ ବୟସ ୬୦ ବର୍ଷରୁ ଅଧିକ ହୋଇଥିବା ଜଣେ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ରୋଗୀମାନଙ୍କର ପୂର୍ବରୁ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ରହୁଥିଲା । ତେଣୁ ପ୍ରବଳ ଖରା ଯୋଗୁଁ ସେମାନଙ୍କ ସ୍ଥିତି ବେଶୀ ଖରାପ ହୋଇଯାଇଥିଲା । ତେବେ ଅଧିକାଂଶ ଲୋକଙ୍କ ମୃତ୍ୟୁର କାରଣ ହାର୍ଟ ଷ୍ଟ୍ରୋକ, ବ୍ରେନ ଷ୍ଟ୍ରୋକ ଏବଂ ଡାଇରିଆ ଇତ୍ୟାଦି ଭଳି ସମସ୍ୟା ରହିଛି । ଏହା ମଧ୍ୟରେ ଜୁନ୍ ୧୫ ତାରିଖରେ ୨୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜୁନ୍ ୧୬ ତାରିଖରେ ୨୦ ଏବଂ ୧୭ ତାରିଖରେ ୧୧ ଜଣ ପ୍ରାଣ ହରାଇଛନ୍ତି ।

ସେହିପରି ବିହାରରେ ମଧ୍ୟ ୪୪ ଜଣ ପ୍ରବଳ ଖରା ଯୋଗୁଁ ମୃତ୍ୟୁବରଣ କରିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଭୀଷଣ ଗରମ ଯୋଗୁଁ ୪୪ ଜଣ ମୃତ୍ୟୁ ହୋଇଥିବା ଜଣାଯାଇଛି । ତେବେ ଏଥିମଧ୍ୟରୁ କେବଳ ପାଟନାରୁ ୩୫ ଜଣ ପ୍ରାଣ ହରାଇଛନ୍ତି । ଗତ ୩ ଦିନରେ ୯୮ ଜଣଙ୍କୁ ମୃତ୍ୟୁ ମାମଲା ସାମନାକୁ ଆସିବା ପରେ ଏବେ ମେଡିକାଲ ଗୁଡିକରେ ସତର୍କତା ଅବଲମ୍ବନ କରାଯାଇଛି । ରୋଗୀମାନଙ୍କର ସଂଖ୍ୟାକୁ ଦୃଷ୍ଟିରେ ରଖି ଡାକ୍ତର ଏବଂ ପାରାମେଡିକାଲ ଷ୍ଟାଫ ସଂଖ୍ୟାରେ ମଧ୍ୟ ବୃଦ୍ଧି ହୋଇଛି । ଏହାବ୍ୟତୀତ ମେଡିକାଲରେ ସମସ୍ତ ୱାର୍ଡରେ ପଙ୍ଖା, କୁଲର ଏବଂ ଏସି ଇତ୍ୟାଦିର ବ୍ୟବସ୍ଥା କରାଯାଉଛି । ତେଣୁ ଉଭୟ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

Get real time updates directly on you device, subscribe now.