fbpx

ଚଳିତ ବର୍ଷ ଭାରତ ଛାଡ଼ିବେ ୬୫୦୦ ଜଣ ଧନୀବ୍ୟକ୍ତି: କ’ଣ ରହିଛି କାରଣ, କ’ଣ କହୁଛନ୍ତି ଏକ୍ସପର୍ଟ ଓ ChatGPT

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଭାରତରୁ ଅନେକ ଧନୀ ବ୍ୟକ୍ତି ଦେଶ ଛାଡ଼ି ପଳାୟନ କରୁଛନ୍ତି । ଗତ କିଛିବର୍ଷ ମଧ୍ୟରେ ଭାରତରେ ଏହି ସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ସାରା ବିଶ୍ୱର ୱେଲଥ ଓ ଇନଭେଷ୍ଟମେଣ୍ଟ ମାଇଗ୍ରେସନ ଉପରେ ନଜର ରଖୁଥିବା ହେନଲୀର ଏକ ରିପୋର୍ଟ ସାମ୍ନାକୁ ଆସିଛି । ଧନଶାଳୀ ବ୍ୟକ୍ତିମାନେ ଦେଶ ଛାଡ଼ି ଅନ୍ୟ ଦେଶକୁ ଚାଲିଯାଉଥିବା ମାମଲାରେ ଚୀନ ସର୍ବାଗ୍ରେ ରହିଥିବା ବେଳେ ଭାରତ ୨ ନମ୍ବରରେ ରହିଛି । ଏହି ଲିଷ୍ଟରେ ବ୍ରିଟେନ ତୃତୀୟ ସ୍ଥାନରେ ରହିଥିବା ବେଳେ ଚଳିତ ବର୍ଷ ସେଠାରେ ୩୨୦୦ ଧନୀ ଦେଶ ଛାଡ଼ି ପାରନ୍ତି ।

ଗତ ୨୦୨୨ରେ ୭୫୦୦ ଜଣ ହାଇ ନେଟୱର୍ଥ ଇଣ୍ଡିଭିଜୁଆଲ (ଏଚଏନଆଇ) ଦେଶ ଛାଡ଼ିଥିବା ବେଳେ ୨୦୨୩ରେ ୬୫୦୦ ଜଣ ଏଚଏନଆଇ ଦେଶ ଛାଡ଼ି ପାରନ୍ତି । ହେନଲୀର ପ୍ରାଇଭେଟ ୱେଲଥ ମାଇଗ୍ରେସନ ରିପୋର୍ଟ ଆସିବା ପରେ ଏବେ ପ୍ରଶ୍ନ ଉଠୁଛି, କାହିଁକି ଭାରତୀୟ ଧନୀମାନେ ଦେଶ ଛାଡ଼ି ପଳାଇ ଯାଉଛନ୍ତି । ଦେଶର ଟ୍ୟାକ୍ସ ଭାର ଏହା ପଛର କାରଣ ନୁହେଁ ତ? ଏପରି ସୁପର ଧନୀମାନେ କାନାଡ଼ା, ଆମେରିକା ଓ ଅଷ୍ଟ୍ରେଲିଆରେ ନିଜର ଜୀବନ ଆରମ୍ଭ କରୁଛନ୍ତି । ତେବେ ଏହି ସବୁ ଦେଶମାନଙ୍କରେ କ’ଣ ଟ୍ୟାକ୍ସ ଦର ଭାରତ ତୁଳନାରେ କମ୍ ରହିଛି?

ତେବେ ଏହା ସତ ଯେ, ଏହି ତିନି ଦେଶର ଟ୍ୟାକ୍ସ ଦର ଭାରତ ତୁଳନାରେ ବହୁତ ଅଧିକ ରହିଛି । ଭାରତରେ ଏହି ଦର ୩୦ ପ୍ରତିଶତ ରହିଥିବା ବେଳେ କାନାଡ଼ାରେ ୫୪ ପ୍ରତିଶତ, ଆମେରିକାରେ ୫୧.୬ ପ୍ରତିଶତ ଓ ଅଷ୍ଟ୍ରେଲିଆରେ ୪୫ ପ୍ରତିଶତ ରହିଛି । ଏପରିକି ଜି-୨୦ର ୨୦ଟି ଦେଶର ପର୍ସନାଲ ଆୟକର ଭାରତ ଠାରୁ ଅଧିକ ରହିଛି । ତେବେ ଭାରତରେ ସର୍ବାଧିକ ଟ୍ୟାକ୍ସ ଦର ଉପରେ ସରଚାର୍ଜ ଓ ସେସ ଲାଗିଥାଏ । ପର୍ସନାଲ ଟ୍ୟାକ୍ସ ମାମଲାରେ ସରଚାର୍ଜ ଟ୍ୟାକ୍ସ ୨୫ ପ୍ରତିଶତ ପର୍ଯ୍ୟନ୍ତ ରହିଥାଏ ।

ଅଧିକାଂଶ ଭାରତୀୟ ଧନୀ ସିଙ୍ଗାପୁର ଓ ଦୁବାଇକୁ ପସନ୍ଦ କରୁଥିବା ଏକ୍ସପର୍ଟ ମତ ଦେଇଛନ୍ତି । ଏହାପରେ ଅଷ୍ଟ୍ରେଲିଆକୁ ସବୁଠାରୁ ଅଧିକ ଧନୀ ଯିବାର ସମ୍ଭାବନା ରହିଛି । ଚଳିତ ବର୍ଷ ଉକ୍ତ ଦେଶକୁ ୫୨୦୦ ଧନୀ ଲୋକ ଯାଇ ପାରନ୍ତି । ସେହିପରି ଆମେରିକାକୁ ୪୫୦୦ ଧନୀ ଲୋକ ଯିବା ନେଇ ଆଶା କରାଯାଉଛି । ତେବେ ଅନ୍ୟ ଦେଶରେ ନିଜର ବ୍ୟବସାୟ କରି ଅଧିକ ଲାଭବାନ ହେବା, ଟ୍ୟାକ୍ସ ସମ୍ବନ୍ଧୀୟ ବିଚାର, ଜୀବନର ଗୁଣବତ୍ତା, ଉଚ୍ଚ ଟେକ୍ନୋଲୋଜି ଉଦ୍ଦେଶ୍ୟରେ ସେମାନେ ଦେଶ ଛାଡ଼ୁଥିବା ଚାଟଜିପିଟି ମତ ଦେଇଛି ।

Get real time updates directly on you device, subscribe now.