ବାଲେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ନେଇ ସିବିଆଇର ତଦନ୍ତ ଜାରି ରଖିଥିବା ବେଳେ ଏହାରି ମଧ୍ୟରେ ଆସିଛି ବଡ ଅପଡେଟ । ବାଲେଶ୍ବର ଜିଲ୍ଲା ସୋର କୁଅଁରପୁରରେ ଥିବା ସିଗନାଲ ଜେଇଙ୍କ ଭଡ଼ାଘର ସିଲ୍ କରି ତଦନ୍ତ ଆଗକୁ ବଢ଼ାଇଛି ସିବିଆଇ । ସିବିଆଇର ପାଞ୍ଚ ଜଣିଆ ଟିମ୍ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସିଗନାଲ ଜେଇଙ୍କ ପଡ଼ୋଶୀଙ୍କୁ ସିଗନାଲ ଜେଇଙ୍କ ବିଷୟରେ ପଚରାଉଚରା କରିଛି ସ୍ବତନ୍ତ୍ର ଟିମ୍ । ତଦନ୍ତରେ ସହଯୋଗ ପାଇଁ ଜେଇଙ୍କ ସମ୍ପର୍କୀୟଙ୍କୁ ଡାକିଛି ତଦନ୍ତକାରୀ ଟିମ୍ ।
ଅନ୍ୟପକ୍ଷରେ ଟେଣ୍ଟେଇ ସ୍ଥିତ ଦୁର୍ଗାପୁର ରେଲୱେ ଷ୍ଟେସନ ମାଷ୍ଟରଙ୍କ ଘରକୁ ମଧ୍ୟ ଯାଇଛି ସିବିଆଇ । ଘଟଣାକୁ ନେଇ ସେଠାରେ ତନାଘନା କରିଛି । ଗତ ଦୁଇ ତାରିଖରେ ଘଟିଥିଲା ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣା । ଏଥିରେ ଅନେକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରେରୁ ଅଧିକ ଆହତ ହୋଇଥିଲେ । ଘଟଣା ପାଇଁ ଦାୟୀ କିଏ, ସେନେଇ ସିବିଆଇ ତଦନ୍ତ ଜାରି ରଖିଛି ।
ପ୍ରାଥମିକ ତଦନ୍ତ କରି ସିବିଆଇ ଟିମ୍ ଗତ ୧୬ ତାରିଖରେ ବାହାନଗାରୁ ଚାଲି ଯାଇଥିବା ବେଳେ ପୁଣି ଆଜି ଫେରିଛନ୍ତି। ପୂର୍ବରୁ ସିଗ୍ନାଲ ଜେଇଙ୍କୁ ସିବିଆଇ ପଚରାଉଚରା କରିଥିଲା। ଷ୍ଟେସନମାଷ୍ଟର ଏସ୍ପି ମହାନ୍ତିଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା। ହେଲେ ଘରେ ସିଗ୍ନାଲ ଜେଇ ନ ଥିବା ବେଳେ ସିବିଆଇ’ର ଦୁଇ ଜଣିଆ ଟିମ୍ ଜିଆରପି ପୁଲିସ ଉପସ୍ଥିତିରେ ତାଙ୍କ ଭଡ଼ା ଘରକୁ ସିଲ୍ କରିବା ଅଲୋଚନାର ବିଷୟ ହୋଇଛି। ସିଗ୍ନାଲ ଜେଇ ଏବେ କେଉଁଠି ଅଛନ୍ତି ସେନେଇ ମଧ୍ୟ ଜଣାପଡ଼ିନି।