ମାଇକ୍ରୋନର ଚିପ୍ ଟେଷ୍ଟିଂ ପ୍ଲାଣ୍ଟକୁ ମିଳିଲା ମଞ୍ଜୁରୀ: ଭାରତରେ ୨.୭ ବିଲିୟନ ଡଲାର ନିବେଶ କରିବ କମ୍ପାନୀ

ନୂଆଦିଲ୍ଲୀ: ଆମେରିକାର ସେମିକଣ୍ଡକ୍ଟର କମ୍ପାନୀ ମାଇକ୍ରୋନକୁ ଦେଶରେ କାରଖାନା ସ୍ଥାପନା ପାଇଁ ମଞ୍ଜୁରୀ ଦେଇଛନ୍ତି ଭାରତ ସରକାର । ମାଇକ୍ରୋନର ଏହି ପ୍ଲାଣ୍ଟ ସେମିକଣ୍ଡକ୍ଟର ତିଆରି ପାଇଁ ନୁହେଁ, ବରଂ ଟେଷ୍ଟିଂ ଏବଂ ପ୍ୟାକେଜିଂ ପାଇଁ ହେବ । ଏଥିପାଇଁ କମ୍ପାନୀ ଭାରତରେ ୨.୭ ବିଲିୟନ ଡଲାର ନିବେଶ କରିବ । ନ୍ୟୁଜ୍ ଏଜେନ୍ସି ରଏଟର୍ସ ସୂତ୍ରରୁ ଉଦ୍ଧୃତ କରି ଏହି ଖବର ଦେଇଛି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପୂର୍ବରୁ ଅନୁମୋଦନ :-
ଏକ ନୂଆ ସେମିକଣ୍ଡକ୍ଟର ପରୀକ୍ଷା ଏବଂ ପ୍ୟାକେଜିଂ ୟୁନିଟ୍ (ମାଇକ୍ରୋନ୍ ସେମିକଣ୍ଡକ୍ଟର ଟେଷ୍ଟିଂ ଆଣ୍ଡ ପ୍ୟାକେଜିଂ ୟୁନିଟ୍) ପାଇଁ କ୍ୟାବିନେଟ୍ ମାଇକ୍ରୋନର ୨.୭ ବିଲିୟନ ଡଲାରର ନିବେଶ ଯୋଜନାକୁ ମଞ୍ଜୁରୀ ଦେଇଛି ବୋଲି ରଏଟର୍ସ ଏକ ବରିଷ୍ଠ ସରକାରୀ ସୂତ୍ରରୁ ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ପୂର୍ବରୁ ଏହି ଅନୁମୋଦନ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଭାରତ ସରକାର ଏବଂ ମାଇକ୍ରୋନ୍ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି ।

ଗୁଜୁରାଟରେ ମାଇକ୍ରୋନ୍ ପ୍ଲାଣ୍ଟ ପ୍ରତିଷ୍ଠା ହେବ :-

ସରକାରୀ ସୂତ୍ର ଅନୁଯାୟୀ, ମାଇକ୍ରୋନର ଏହି ପ୍ରସ୍ତାବିତ କାରଖାନା ପିଏମ ମୋଦୀଙ୍କ ଗୃହ ରାଜ୍ୟ ଗୁଜୁରାଟରେ ପ୍ରତିଷ୍ଠା ହେବ । ଏହି ଚୁକ୍ତିନାମା ଅନୁଯାୟୀ ଆମେରିକୀୟ ଚିପ୍ କମ୍ପାନୀକୁ ୧.୩୪ ବିଲିୟନ ଡ଼ଲାର ମୂଲ୍ୟର ଉତ୍ପାଦନ-ଲିଙ୍କ୍ ଇନସେଣ୍ଟିଭ୍ (ପିଏଲଆଇ) ର ଲାଭ ମିଳିବ । ଉତ୍ସ କହିଛି ଯେ ପ୍ରୋତ୍ସାହନ ପ୍ୟାକେଜ୍ ଆକାର ହେତୁ ଏଥିରେ କ୍ୟାବିନେଟ୍ ଅନୁମୋଦନ ଆବଶ୍ୟକ ଥିଲା ।