fbpx

ନୂଆ ପରିଚୟ ପାଇବ ରାଜଧାନୀ ମହାବିଦ୍ୟାଳୟ: ସରକାର କରୁଛନ୍ତି ନୂଆ ଯୋଜନା

ଖଣ୍ଡଗିରି: ଭୁବନେଶ୍ୱରର ରାଜଧାନୀ ଡିଗ୍ରୀ କଲେଜ ପାଇଁ ପ୍ରସ୍ତୁତ ହେଉଛି ନୂଆ ପ୍ରୋଜେକ୍ଟ । କଲେଜର ଉନ୍ନତୀକରଣ ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର । ଏହି ପ୍ରକଳ୍ପ ଅନୁସାରେ, କଲେଜର ନୂତନ ନାମଫଳକ ସମେତ ଛାତ୍ରାବାସ କ୍ୟାମ୍ପସର ଆଲୋକୀକରଣ ପାଇଁ ୭ ଲକ୍ଷ ୮୩ ହଜାର ଟଙ୍କା ମଞ୍ଜୁରି ପ୍ରଦାନ କରାଯାଇଛି । ତେଣୁ ଉଚିତ ସମୟରେ କାର୍ଯ୍ୟ ଶେଷ କରିବା ସହ ଉଚ୍ଚଶିକ୍ଷା ବିଭାଗକୁ ନିୟମିତ ଭାବରେ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ବିଭାଗ ପକ୍ଷରୁ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ, ୨୦୨୩-୨୪ ଆର୍ଥିକ ବର୍ଷରେ ହେବାକୁ ଥିବା ଏହି ପ୍ରକଳ୍ପର ଦାୟିତ୍ୱ ଆର ଆଣ୍ଡ ବି ଡିଭିଜନ-୩କୁ ଦିଆଯାଇଛି । ତେବେ ଏହି ପ୍ରକଳ୍ପରେ କଲେଜର ଛାତ୍ରାବାସରେ ଆଲୋକୀକରଣ ପାଇଁ ୪ ଲକ୍ଷ ୯୯ ହଜାର ୩୦୦ ଟଙ୍କା ମଞ୍ଜୁରି ମିଳିଥିବା ବେଳେ ସାଇନ ବୋର୍ଡ ପାଇଁ ୨ ଲକ୍ଷ ୮୪ ହଜାର ଟଙ୍କା ୩୦୦ ଟଙ୍କା ବ୍ୟୟବରାଦ କରାଯାଇଛି । ୩.୬ ୧୬ ଫୁଟର ଏହି ବୋର୍ଡରେ ଓଡିଆ ଏବଂ ଇଂରାଜୀ ଭାଷାରେ ନାମଫଳକ ସ୍ଥାନ ପାଇବ । ସେହିପରି ଛାତ୍ରଛାତ୍ରୀଙ୍କ ପାଇଁ ଡିଗ୍ରୀ ପରେ କଲେଜରେ ସ୍ନାତକୋତ୍ତର(ପିଜି) ପାଠପଢା ବ୍ୟବସ୍ଥା ମଧ୍ୟ ଉପଲବ୍ଧ କରାଯାଇଛି । ଏହାବ୍ୟତୀତ ଶ୍ରେଣୀଗୃହ ସମସ୍ୟା ଦୂର କରିବାକୁ ନୂଆ ବିଲ୍ଡିଂ ପାଇଁ ୩୭ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର ।

ତେବେ ଏହି ସମସ୍ତ କାର୍ଯ୍ୟ ଧାର୍ଯ୍ୟ ସମୟରେ ଶେଷ ହେବା ସହ ଉଚିତ ଉପାୟରେ ଖର୍ଚ୍ଚ ହେବା ଆବଶ୍ୟକ । ଏ ନେଇ ଗୁରୁତ୍ୱ ଦେବା ପାଇଁ ଏବଂ ତଦାରଖ କରିବା ପାଇଁ ବିଭାଗ ପକ୍ଷରୁ ମହାବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ନିଦ୍ଦେଶ ଦିଆଯାଇଛି । ସେହିପରି ମଂଜୁର କରାଯାଇଥିବା ଟଙ୍କା ଏବଂ ଶରୀରିକ ତଥା ଆର୍ଥିକ ବିକାଶର ରିପୋର୍ଟ ନିୟମିତ ଭାବରେ ଉଚ୍ଚଶିକ୍ଷା ବିଭାଗକୁ ପଠାଇବା ପାଇଁ ମଧ୍ୟ ନିଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ତେବେ ଏହି ସମସ୍ତ କାର୍ଯ୍ୟ ସମାପ୍ତ ହେବା ପରେ ରାଜଧାନୀ କଲେଜ ଆହୁରି ବିକାଶ ଦିଗରେ ଆଗେଇ ପାରିବ ଏବଂ ଏକ ନୂଆ ପରିଚୟ ସୃଷ୍ଟ କରିପାରିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.