fbpx

ଟି.ଏସ ସିଂହ ଦେଓ ଛତିଶଗଡ଼ର ନୂଆ Deputy CM ନିଯୁକ୍ତ: ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ବଡ଼ ଘୋଷଣା

ନୂଆଦିଲ୍ଲୀ: ଚଳିତ ବର୍ଷ ଛତିଶଗଡ଼ ବିଧାନସଭା ନିର୍ବାଚନ ହେବାର ଅଛି । ନିକଟରେ କର୍ଣ୍ଣାଟକରେ ସରକାର ଗଠନ କରିବା ପରେ କଂଗ୍ରେସ ଏବେ ଛତିଶଗଡ଼ ଉପରେ ଫୋକସ କରିଛି । ସେଥିପାଇଁ ନିର୍ବାଚନ ପୂର୍ବରୁ ଟି.ଏସ ସିଂହ ଦେଓଙ୍କୁ ରାଜ୍ୟର ନୂଆ ଡେପୁଟି ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି । କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଶ୍ରୀ ସିଂହ ଦେଓଙ୍କୁ ଏହି ଦାୟିତ୍ୱ ଦେଇଥିବା ଜଣାପଡ଼ିଛି ।

ଶ୍ରୀ ସିଂହଙ୍କ ନିଯୁକ୍ତି ନେଇ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଏପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଶ୍ରୀ ସିଂହଙ୍କୁ ଛତିଶଗଡ଼ର ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦେବା ପ୍ରସ୍ତାବକୁ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ଖଡ଼ଗେ ମଞ୍ଜୁରୀ ଦେଇଥିବା କଂଗ୍ରେସ ମହାସଚିବ କେ.ସି ବେଣୁଗୋପାଳ ସୂଚନା ଦେଇଛନ୍ତି । ଶ୍ରୀ ସିଂହ ଜଣେ ବିଶ୍ୱସ୍ତ ଓ ଦକ୍ଷ ପ୍ରଶାସକ ଅଟନ୍ତି । ସେ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଲେ ରାଜ୍ୟବାସୀ ବେଶ୍ ଉପକୃତ ହୋଇ ପାରିବେ । ଛତିଶଗଡ଼ର ଲୋକମାନେ ଖଡ଼ଗେ ଓ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସକୁ ଆଗାମୀ ବିଧାନସଭା ନିର୍ବାଚନରେ ଦ୍ୱିତୀୟ ଥର ପାଇଁ ବହୁମତରେ ଜିତାଇବେ ବୋଲି ଶ୍ରୀ ବେଣୁଗୋପାଳ କହିଛନ୍ତି ।

ଶ୍ରୀ ସିଂହଙ୍କୁ କଂଗ୍ରେସ ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦେବା ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଗତ ୨୦୧୮ ବିଧାନସଭା ନିର୍ବାଚନରେ କଂଗ୍ରେସ ମୋଟ ୯୦ଟି ଆସନରୁ ୬୮ଟି ସିଟ୍ ହାସଲ କରିଥିଲା । ବିଜେପି ମାତ୍ର ୧୫ଟି ସିଟ୍ ପାଇଥିଲା । ଏହି ବିଜୟ ପରେ ଭୂପେଶ ଓ ଶ୍ରୀ ସିଂହଙ୍କକୁ ନେଇ ବଡ଼ ଧରଣର ଚର୍ଚ୍ଚା ହୋଇଥିଲା । ଏପରିକି ଶ୍ରୀ ସିଂହ ମୁଖ୍ୟମନ୍ତ୍ରୀ ହେବାକୁ ଦାବି କରୁଥିବା ମଧ୍ୟ କୁହାଯାଇଥିଲା । ତେବେ ଆଗକୁ ଦଳରେ କିଛି ଅନ୍ତଃକନ୍ଦଳ ସୃଷ୍ଟି ହେବା ପୂର୍ବରୁ କଂଗ୍ରେସ ସୁଚତୁର ଗୋଟି ଚାଳନା କରି ଶ୍ରୀ ସିଂହଙ୍କୁ ବଡ଼ ଦାୟିତ୍ୱ ପ୍ରଦାନ କରିଛି ।

Get real time updates directly on you device, subscribe now.