ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ । ଏଥିପାଇଁ ରାଜ୍ୟରେ କ୍ଷମତାସୀନ ଥିବା ବିଜେଡି ତା’ର ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିବା ସହିତ ନିଜ ସଂଗଠନରେ ପରିବର୍ତ୍ତନ କରିଛି । ନିକଟରେ ଦଳର ଜିଲ୍ଲା, ବ୍ଲକ ଓ ରାଜ୍ୟ ସଂଗଠନରେ ନୂଆ ନେତାଙ୍କୁ ଦାୟିତ୍ୱ ମିଳିଥିବା ବେଳେ ଏହା ମଧ୍ୟରେ ଦଳ ପୁଣି ନୂଆ ନେତାଙ୍କୁ ନୂଆ ସ୍ଥାନ ନିଯୁକ୍ତି ଦେଇଛି । ଏନେଇ ଦଳର ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ସୂଚନା ଦେଇଛନ୍ତି ।
ବରିଷ୍ଠ ନେତା ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲ୍ଲା ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି । ସେହିପରି ପୂର୍ବତନ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ କଳାହାଣ୍ଡି ଜିଲ୍ଲା ବିଜେଡିର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ଏଥିସହିତ ୫ ଜଣ ନେତାଙ୍କୁ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ଭବାନୀପାଟଣାର ସଭାପତି ଭାବେ ସୁରେନ୍ଦ୍ର ପ୍ରଧାନ, ଜୁନାଗଡ଼ର ସଭାପତି ଭାବେ ଦିନେଶ ବଗର୍ତ୍ତୀ, ଧର୍ମଗଡ଼ର ସଭାପତି ଭାବେ ମାନସ ରଞ୍ଜନ ବାଗ, ନର୍ଲାର ସଭାପତି ଭାବେ ଚିତ୍ତ ରଞ୍ଜନ ମଣ୍ଡଳ ଓ ଲାଞ୍ଜିଗଡ଼ର ସଭାପତି ଭାବେ ଶୈଳେନ୍ଦ୍ର ରାଜଙ୍କୁ ଦିଆଯାଇଛି ।
ଏହାଛଡ଼ା ଜିଲ୍ଲାରେ ୭ ଜଣ ଉପସଭାପତି, ୮ ଜଣ ସାଧାରଣ ସମ୍ପାଦକ ଓ ୧୨ ଜଣ ସମ୍ପାଦକଙ୍କୁ ନିଯୁକ୍ତି ଦିଆଯାଇଛି । ପ୍ରଦୀପ ମୁଣ୍ଡ, ଜିତେନ୍ଦ୍ର ମହାନ୍ତି, ଥବିର ପ୍ରସାଦ ସାହୁ, ଦିଗାମ୍ବର ନାଏକ, ଅଭୟ ଚାନ୍ଦ, ସାମନ୍ତ କୁମାରୀ ଓ ସାରଦା ପ୍ରସନ୍ନ ସ୍ୱାଇଁଙ୍କୁ ଜିଲ୍ଲା ବିଜେଡି ଉପସଭାପତି ଭାବେ ନିଯୁକ୍ତି ମିଳିଛି । ଏହା ପୂର୍ବରୁ ଗତ ୧ ତରିଖରେ ଓଡ଼ିଶା ରାଜ୍ୟ କୋ-ଅପରେଟିଭ୍ ୟୁନିୟନ ଓ ଓବିସି ଫାଇନାନ୍ସ ଡେଭଲପମେଣ୍ଟ କୋ-ଅପରେଟିଭ୍ କର୍ପୋରେସନ ୟୁନିୟନ ଇଲେକ୍ସନ ପାଇଁ ଦୁଇଜଣଙ୍କୁ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଥିଲା ।