ନୂଆଦିଲ୍ଲୀ: ତାମିଲନାଡ଼ୁର ଜଣେ ସିନିୟର ସର୍ବଭାରତୀୟ ପୋଲିସ ସେବା (ଆଇପିଏସ) ଅଧିକାରୀ ସୁଇସାଇଡ୍ କରିଛନ୍ତି । କୋଏମ୍ବାଟୁର ରେଞ୍ଜର ଡିଆଇଜି ବିଜୟ କୁମାର ଆତ୍ମହତ୍ୟା କରିଛନ୍ତି । ବିଜୟ ନିଜର ସର୍ଭିସ ପିସ୍ତଲରୁ ନିଜକୁ ଗୁଳି ମାରିଥିବା ଜଣାପଡ଼ିଛି । ଗତ ଜାନୁଆରୀ ମାସରେ ବିଜୟ କୋଏମ୍ବାଟୁର ରେଞ୍ଜର ଡିଆଇଜି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଜଣେ ବରିଷ୍ଠ ଆଇପିଏସ ଅଧିକାରୀଙ୍କ କାହିଁକି ସୁଇସାଇଡ୍ କଲେ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
ସୂଚନା ମୁତାବକ, ବିଜୟ ନିଜ ସର୍ଭିସ ପିସ୍ତଲରୁ ନିଜକୁ ଗୁଳି କରିବା ପରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଜଣେ ଆଇପିଏସ ଅଧିକାରୀ କାହିଁକି ନିଜକୁ ଗୁଳି କଲେ ତାହା ଏବେ ସ୍ପଷ୍ଟ ହୋଇ ନାହିଁ । ୨୦୦୯ ବ୍ୟାଚର ଆଇପିଏସଏସ ଅଧିକାରୀ କାଞ୍ଚିପୁରମ, କୁଡ୍ଡାଲୋର, ନାଗାପଟ୍ଟିନମ ଓ ତିରୁବରୁର ଆଦି ଜିଲ୍ଲାରେ ପୋଲିସ ଅଧିକ୍ଷକ (ଏସପି) ଭାବେ କାର୍ଯ୍ୟ କରିଥିଲେ ।
କୋଏମ୍ବାଟୁରର ନୂଆ ଡିଆଇଜି ଭାବେ ବିଜୟ ଚଳିତ ବର୍ଷ କାର୍ଯ୍ୟଭାର ସମ୍ଭାଳିଥିଲେ । ଏହା ପୂର୍ବରୁ ଚେନ୍ନାଇରେ ତାଙ୍କର ପୋଷ୍ଟିଂ ହୋଇଥିବା ବେଳେ ସେଠାରେ ସେ ପୋଲିସ ଉପାୟୁକ୍ତ ଭାବେ କାର୍ଯ୍ୟ କରିଥିଲେ । ବିଜୟ ନିକଟରେ କାର୍ଯ୍ୟ କରିଥିବା କୋଏମ୍ବାଟୁର ରେଞ୍ଜ ଅଧିନରେ କୋଏମ୍ବାଟୁର ଗ୍ରାମୀଣ, ତିରୁପୁର ଗ୍ରାମୀଣ, ନୀଲଗିରି ଓ ଇରୋଡ ଆଦି ଜିଲ୍ଲା ଆସୁଥିଲା ।
ଆଜି ସକାଳ ୬.୪୫ ସମୟରେ ବିଜୟ ସୁଇସାଇଡ୍ କରିଥିବା ଜଣାପଡ଼ିଛି । ଜଣେ ବରିଷ୍ଠ ଆଇପିଏସ ଅଚାନକ ଏଭଳି ଚରମ ନିଷ୍ପତ୍ତି ନେବା ପଛରେ କି ରହସ୍ୟ ରହିଛି ସେନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ବଢ଼ିବାରେ ଲାଗିଛି । ନିଜ କ୍ୟାରିୟର ମଧ୍ୟରେ ବିଜୟ ଉଚ୍ଚକୋଟୀର କାର୍ଯ୍ୟ କରି ଅନେକ ପ୍ରଶଂସା ପାଇଥିଲେ । ତାଙ୍କର ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଥିବା ବେଳେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ବ୍ୟକ୍ତିଗତ ବା କାର୍ଯ୍ୟ କ୍ଷେତ୍ରରେ ସମସ୍ୟା କାରଣରୁ ବିଜୟ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି ।