fbpx

ଓପିଏସ୍‍ସି କ୍ୟାଡର ପୁର୍ନଗଠନ ପାଇଁ ଚାଲିଛି ବିଚାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍‍ସିର ୭୫ ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଓପିଏସ୍‍ସି ୭୫ ବର୍ଷ ମଧ୍ୟରେ ଉଲ୍ଲେଖନୀୟ ଯାତ୍ରା ନିର୍ଦ୍ଧାରିତ କରିଛି । ଏହି ସଂସ୍ଥା ମାଧ୍ୟମରେ ଚୟନିତ କର୍ମଚାରୀମାନେ ରାଜ୍ୟର ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇ ଆସୁଛନ୍ତି । ସେ କହିଛନ୍ତି, ଓପିଏସ୍‍ସି ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଅବଲମ୍ବନ କରିବା ସହ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ମାଧ୍ୟମରେ ସଫଳତାର ସହ ନିଯୁକ୍ତି ପ୍ରକ୍ରିୟାଗୁଡ଼ିକୁ ପରିଚାଳନା କରୁଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତିଷ୍ଠାନର ଭିତ୍ତିଭୂମି ଆବଶ୍ୟକତାକୁ ପୂରଣ କରିବା ପାଇଁ ୧୪ କୋଟି ବ୍ୟୟରେ ଓପିଏସ୍‍ସିର ଆଉ ଗୋଟେ ଭବନ ନିର୍ମାଣଧୀନ ରହିଛି । ଏହା ବ୍ୟତୀତ ଓପିଏସ୍‍ସି କ୍ୟାଡର ପୁର୍ନଗଠନ ପାଇଁ ରାଜ୍ୟ ସରକାର ବିଚାର କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଅନ୍ୟପଟେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‍ସି) ଦ୍ୱାରା ଅନୁଷ୍ଠିତ ଆସିଷ୍ଟାଣ୍ଟ ସେକସନ୍‍ ଅଫିସର–ଏ.ଏସ୍‍.ଓ. ନିଯୁକ୍ତି ପରୀକ୍ଷା ନେଇ ଦାୟର ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୩ ତାରିଖରେ ହେବ । ପୂର୍ବରୁ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇ ନ ଥିବା ନେଇ ଉଚ୍ଚ ନ୍ୟାୟାଳୟକୁ ଓପିଏସ୍‍ସି ପକ୍ଷରୁ ଅବଗତ କରାଯାଇଥିଲା । ଏହି ମାମଲାରେ ଦୁଇ ମାସ ଭିତରେ ସାନି ମେଧା ତାଲିକା ପ୍ରକାଶ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପକ୍ଷରେ ହାଇକୋର୍ଟଙ୍କ ଆଦେଶର ପୁର୍ନବିଚାର ପାଇଁ ମେଧାତାଲିକାରେ ସ୍ଥାନ ପାଇଥିବା କେତେକ ପ୍ରାର୍ଥୀଙ୍କ ପକ୍ଷରୁ ରିଟ୍‍ ପିଟିସନ୍‍ ଦାୟର କରାଯାଇଛି । ଆସନ୍ତା ୧୩ ତାରିଖରେ ଏହି ଦୁଇଟି ମାମଲାର ଶୁଣାଣି ହେବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.