fbpx

ବିଲାତି ଦାମ୍ ଆକାଶଛୁଆଁ: କିଲୋ ପିଛା ୨୫୦ ଟଙ୍କା ପାର୍ ହେଲାଣି ଟମାଟୋ ମୂଲ୍ୟ

ନୂଆଦିଲ୍ଲୀ: ଏହି ମାସରେ ଟମାଟୋ ମୂଲ୍ୟ ଖୁବ ବୃଦ୍ଧି ପାଇଛି । ଟମାଟୋ ରେଟ୍ ବଢିଯିବାରୁ କିଚେନର ବଜେଟ ମଧ୍ୟ ବୃଦ୍ଧି ପାଇଛି । ଦେଶର ବିଭିନ୍ନ ପ୍ରାନ୍ତରେ ଟମାଟୋର ମୂଲ୍ୟ ଭିନ୍ନ ଭିନ୍ନ ରହିଛି । ତେବେ କେବଳ ଟମାଟୋ ନୁହେଁ, ଧିରେ ଧିରେ ଅନ୍ୟାନ୍ୟ ପନିପରିବା ଦର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ ଏହାମଧ୍ୟରେ କିଛି ସ୍ଥାନରେ ଟମାଟୋ ମୂଲ୍ୟ ୨୦୦ ଟଙ୍କା ଅତିକ୍ରମ କରିଛି । ପ୍ରବଳ ବର୍ଷା ଏବଂ ପନିପରିବାର ଅଭାବ ଯୋଗୁଁ ଟମାଟୋ ମୂଲ୍ୟରେ ଏପରି ବୃଦ୍ଧି ରେକର୍ଡ କରାଯାଇଛି ।

ପନିପରିବା ଦରରେ ଲଗାତାର ବୃଦ୍ଧି ପାଉଥିବାରୁ ସାଧାରଣ ଲୋକ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟର ରିପୋର୍ଟ ଅନୁସାରେ, ଗତକାଲି ଉତ୍ତରପ୍ରଦେଶର ଶହାଜାହାନପୁରରେ ଟମାଟୋ କିଲୋ ପିଛା ୧୬୨ ଟଙ୍କାରେ ବିକ୍ରି ହେଉଥିଲା । ସେହିପରି ଗଙ୍ଗୋତ୍ରୀ ଧାମରେ ଟମାଟୋ ୨୫୦ ଟଙ୍କା ପ୍ରତି କେ.ଜି ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ତେବେ ରାଜସ୍ଥାନର ଚରୁ ଜିଲ୍ଲାରେ ଟମାଟୋର ସର୍ବନିମ୍ନ ଦର ରହିଛି ୩୧ ଟଙ୍କା । ତେବେ ଟମାଟୋ ଦରବୃଦ୍ଧି ଯୋଗୁଁ କେବଳ ସାଧାରଣ ଲୋକ ନୁହେଁ, ରେଷ୍ଟୁରାଣ୍ଟ ଏବଂ ଫୁଡ ଚେନ୍ ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି । ନିକଟରେ ମ୍ୟାକଡୋନାଲ୍ଡସ ଏବଂ ବର୍ଗର କିଙ୍ଗର କିଛି ପ୍ରଡକ୍ଟରେ ଟମାଟୋ ବ୍ୟବହାର ବନ୍ଦ କରି ଦିଆଯାଇଛି । ଭଲ କ୍ୱାଲିଟିର ଟମାଟୋ ନ ମିଳିବାରୁ ଏପରି କରାଯାଇଥିବା କୁହାଯାଇଛି ।

ଏହାପୂର୍ବରୁ ତାମିଲନାଡୁ ସରକାର ଟମାଟୋର ବହୁମୂଲ୍ୟରୁ ଜନସାଧାରଣଙ୍କୁ ଆରାମ ଯୋଗାଇବା ପାଇଁ ଏକ ନୂତନ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା କିଲୋଗ୍ରାମ ପିଛା ୬୦ ଟଙ୍କା ମୂଲ୍ୟରେ ଟମାଟୋ ଉପଲବ୍ଧ ହେଉଛି। ସରକାର ଦେଇଥିବା ଆଦେଶରେ କୁହାଯାଇଛି ଯେ ଏହି ପଦକ୍ଷେପ ପରେ ଚେନ୍ନାଇ, କୋଏମ୍ବାଟୁର, ସାଲେମ, ଏରୋଡ ଏବଂ ଭେଲୋରର ପାନାଇ ପାସୁମାଇ (ଫାର୍ମ ଫ୍ରେଶ) ଦୋକାନରେ ଟମାଟୋ ୬୦ କିଲୋଗ୍ରାମରେ ବିକ୍ରି ହେବ।

Get real time updates directly on you device, subscribe now.