ବାହାନଗା ରେଳ ଦୁର୍ଘଟଣାର ସହାୟତା ରାଶିକୁ ନେଇ ମୃତକଙ୍କ ପରିବାରରେ କଳହ : ଥାନାରେ ପହଞ୍ଚିଲା ମାମଲା

ଭଦ୍ରକ : ବାହାନଗା ଠାରେ ହୋଇଥିବା ରେଳ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ମିଳିଥିବା ସହାୟତା ରାଶିକୁ ନେଇ ଶଶୁର ଓ ମୃତକଙ୍କ ପତ୍ନୀ ମଧ୍ୟରେ କଳହ ଲାଗିଥିବା ଘଟଣା ସାମ୍ନାକୁ ଆସିଛି । ଏନେଇ ମୃତକଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଛନ୍ତି । ଘଟଣାଟି ଭଦ୍ରକ ଜିଲ୍ଲାର ବାସୁଦେବପୁର ଅଞ୍ଚଳର ସୁଗୋ ପଞ୍ଚାୟତରେ ଘଟିଛି ।

ସୂଚନା ଅନୁଯାୟୀ, ବାସୁଦେବପୁର ସ୍ଥିତ ସୁଗୋ ଗାଁର ବାସିନ୍ଧା ଗୋବିନ୍ଦ ଚନ୍ଦ୍ର ସାହୁ କୋଲକାତାରୁ ଘରକୁ ଫେରୁଥିବା ବେଳେ ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ । ଏନେଇ ମୃତକଙ୍କ ପରିବାରକୁ ଓଡ଼ିଶା ସରକାର ୫ଲକ୍ଷ ଟଙ୍କା ଓ କେନ୍ଦ୍ର ସରକାର ୧୦ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ଯୋଗାଇଥିଲେ । ଏହି ସହାୟତା ରାଶି ମୃତକଙ୍କ ସ୍ତ୍ରୀର ଆକାଉଣ୍ଟରେ ଜମା ହୋଇଥିଲା । ତେବେ ସରକାରଙ୍କ ଠାରୁ ମିଳିଥିବା ରାଶି ଶାଶୁ ଘର ଲୋକ ହାତେଇବା ପାଇଁ ଚେଷ୍ଟା କରି ମୃତକ ଗୋବିନ୍ଦଙ୍କ ପତ୍ନୀକୁ ମାରିବା ପାଇଁ ଧମକ ମିଳୁଥିବା କଥା ନେଇ ବିଜୟଲକ୍ଷ୍ମୀ ସାହୁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

ଅନ୍ୟପଟେ ବିଜୟଲକ୍ଷ୍ମୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ସମସ୍ତ ଟଙ୍କା ତାଙ୍କ ଶଶୁର ଉଠାଇ ନେଇଥିବା ଅଭିଯୋଗ ହୋଇଛି । ପରିବାର ମଧ୍ୟରେ ଘଟିଥିବା ଏହି କଳହ ବର୍ତ୍ତମାନ ଗାଁରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ଏହି ଘଟଣାରେ ପରିବାର ଭିତରେ ଥିବା ବିବାଦର ଆପୋଷ ସମାଧାନ ହୋଇଯିବ ବୋଲି ଆଶା କରାଯାଇଛି ।