ନୂଆଦିଲ୍ଲୀ: ଭାରତୀୟ ସେନା ପାଇଁ ଆଇଆଇଟି କାନପୁର ଏକ ଆତ୍ମଘାତୀ ଡ୍ରୋନ ନିର୍ମାଣ କରିଛି । ସବୁଠାରୁ ଖାସ୍ କଥା ହେଉଛି ଶତ୍ରୁପକ୍ଷର ରାଡାର ଏହି ଡ୍ରୋନକୁ କାବୁ କରିପାରିବ ନାହିଁ । ଆସନ୍ତା ୬ ମାସ ମଧ୍ୟରେ ଏହାର ଟାର୍ଗେଟ ଡିଷ୍ଟ୍ରକସନ ଟ୍ରାଏଲ କରାଯିବ । ଏହି ପରୀକ୍ଷାରେ ସେନା ଅଧିକାରୀଙ୍କୁ ସାମିଲ କରାଯିବାର ସମ୍ଭାବନା ରହିଛି ।
ଏୟାରସ୍ପେସ ବିଭାଗର ଆସିଷ୍ଟାଷ୍ଟ ପ୍ରଫେସର ସୁବ୍ରମଣ୍ୟମ ସଦରାଲାଙ୍କ ମୁତାବକ, ଏହି ଆତ୍ମଘାତୀ ଡ୍ରୋନରେ ଷ୍ଟଲଟ ଟେକ୍ନୋଲୋଜି ଲାଗିଛି । ତେଣୁ ଏହାକୁ ଶତ୍ରୁପକ୍ଷର ରାଡାର ଛୁଇଁପାରିବ ନାହିଁ । ଏହି ଡ୍ରୋନରେ ୬ କେଜି ଓଜନର ହତିଆର ଲାଗି ପାରିବ । ଏହାର ଲମ୍ବ ପାଖାପାଖି ୨ ମିଟର ରହିଥିବା ବେଳେ ଏହା ଫୋଲଡେବଲ । ଏଥିରେ କ୍ୟାମେରା ଓ ଇନଫ୍ରାରେଡ ସେନସର ଲାଗିଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସହାୟତାରେ ଏହା ଶତ୍ରୁପକ୍ଷର ଟାର୍ଗେଟକୁ ବର୍ବାଦ କରିବାର କ୍ଷମତା ରଖିଛି ।
ଯଦି ଶତ୍ରୁପକ୍ଷ ଏହି ଡ୍ରୋନର ଜିପିଏସ ବନ୍ଦ କରିଦିଏ, ତଥାପି ମଧ୍ୟ ଏହି ଡ୍ରୋନ ଶତ୍ରୁର ଟାର୍ଗେଟକୁ ନଷ୍ଟ କରିପାରିବ । ଏହା ବ୍ୟାଟେରି ଚାଳିତ ସୁଇସାଇଡ୍ ଡ୍ରୋନ । ଲଞ୍ଚ ହେବାର ୪୦ ମିନିଟ ମଧ୍ୟରେ ଏହା ଶତ୍ରୁପକ୍ଷର ୧୦୦ କିମି ପରିସରରେ ତାଣ୍ଡବ ରଚି ପାରିବ । ବର୍ତ୍ତମାନ ହାଇବ୍ରିଡ ଯୁଦ୍ଧର ସମୟ ଚାଲିଥିବା ବେଳେ ଦେଶ ପାଇଁ ଆତ୍ମଘାତୀ ଡ୍ରୋନ ନିହାତି ଜରୁରୀ । ଖୁବଶୀଘ୍ର ଏହି ଡ୍ରୋନକୁ ୱାରହେଡ ସହିତ ଟେଷ୍ଟ କରାଯିବ । ଏଥିରେ ଷ୍ଟେଲଥ ଟେକ୍ନୋଲୋଜି ଲାଗିଛି, ଯାହାଦ୍ୱାରା କି ଏହାକୁ ଶତ୍ରୁପକ୍ଷର ରାଡାର କ୍ୟାମେରା ସହଜରେ ଦେଖି ପାରିବ ନାହିଁ । ଏହା ଅତିକମରେ ୧୦୦ ଓ ସର୍ବାଧିକ ୪.୫ କିମି ଉଚ୍ଚତା ପର୍ଯ୍ୟନ୍ତ ଯାଇ ପାରିବ । ଏହି ଡ୍ରୋନକୁ ତିଆରି କରିବା ପାଇଁ ପ୍ରତିରକ୍ଷା କରିଡର ପକ୍ଷରୁ ବହୁତ ଅର୍ଥ ପ୍ରଦାନ କରାଯାଇଥିଲା ।