fbpx

ମୋକିମ୍ ଓ ଚିରଞ୍ଜିବ ସସପେଣ୍ଡ: ଦଳବିରୋଧୀ କାର୍ଯ୍ୟ କାରଣରୁ AICC ନେଲା ବଡ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ରାଜନୈତିକ ଜଗତରୁ ଆସିଛି ଏକ ବଡ଼ ଖବର । ଦଳ ବିରୋଧୀ କାର୍ଯ୍ୟ କାରଣରୁ କଂଗ୍ରେସର ଦୁଇଜଣ ବରିଷ୍ଠ ନେତାଙ୍କୁ ସସପେଣ୍ଡ କରାଯାଇଛି । କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ଓ ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜିବ ବିଶ୍ୱାଳରୁ ଦଳରୁ ସସପେଣ୍ଡ କରିଛି ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ।

ସୂଚନା ମୁତାବକ, କଟକ-ବାରବାଟୀ ବିଧାୟକ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜିବଙ୍କ ବିରୋଧରେ ପୂର୍ବରୁ ଦଳ ବିରୋଧୀ କାର୍ଯ୍ୟ ନେଇ ଅଭିଯୋଗ ଆସିଥିଲା । ଏନେଓ ଉଭୟଙ୍କଠାରୁ ଏଆଇସିସି ପକ୍ଷରୁ ସ୍ପଷ୍ଟିକରଣ ମଗାଯାଇଥିଲା । ଏନେଇ ଦୁଇନେତା ପ୍ରଶ୍ନର ଉତ୍ତର ଦେଇଥିଲେ । ମାତ୍ର ଉଭୟଙ୍କଠାରୁ ମିଳିଥିବା ଉତ୍ତର ସନ୍ତୋଷଜନକ ନଥିବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି (ଡିଏସି) ପକ୍ଷରୁ କୁହାଯାଇଛି ।

ତେଣୁ ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ଏହି ଦୁଇ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଦୁଇ ନେତାଙ୍କୁ ସସପେଣ୍ଡ କରିଛି ଏଆଇସିସି । ସୂଚନାଯୋଗ୍ୟ ଯେ, ଆଗକୁ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ କଂଗ୍ରେସ ସେଥିପାଇଁ ତା’ର ସଂଗଠନକୁ ସଜାଡ଼ିବା ସହିତ ନିର୍ବାଚନରେ ଭଲ ପ୍ରଦର୍ଶନ ପାଇଁ ପ୍ରସ୍ତୁତ ହେଉଛି । ଏଭଳି ସ୍ଥିତିରେ ଦୁଇଜଣ ବରିଷ୍ଠ ନେତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନକୁ ନେଇ ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚା ହେଉଛି । ଚଳିତ ଥର ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳ ଅଧିକ ସିଟ୍ ହାତେଇବାକୁ ଲକ୍ଷ୍ୟ ରଖିଛି ।

Get real time updates directly on you device, subscribe now.