ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନକୁ ନେଇ କେନ୍ଦ୍ରରେ କ୍ଷମତାସୀନ ବିଜେପି ତା’ର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏଭଳି ସ୍ଥିତିରେ ନରେନ୍ଦ୍ର ମୋଦୀଙ୍କୁ ରୋକିବା ପାଇଁ ବିପକ୍ଷ ଦଳମାନେ ଗତ କିଛି ମାସ ଧରି ଏକାଠି ହେବା ସହ ଏକାଧିକ ବୈଠକରେ ସାମିଲ ହୋଇଥିଲେ । ତେବେ ଏହା ମଧ୍ୟରେ ବିରୋଧୀ ଶିବିର ପାଇଁ ଆସିଛି ଏକ ଖୁସି ଖବର । ବେଙ୍ଗାଲୁରୁରେ ହେବାକୁ ଥିବା ବିପକ୍ଷ ଦଳଙ୍କ ବୈଠକରେ ଆମ୍ ଆଦମୀ ପାର୍ଟି (ଆପ) ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସାମିଲ ହେବେ ।
ସୂଚନା ମୁତାବକ, କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ କଂଗ୍ରେସର ସମର୍ଥନ ମିଳିବା ପରେ ଆପ ଏହି ନିଷ୍ପତ୍ତି ନେଇଛି । ବିରୋଧୀ ଦଳମାନଙ୍କର ଏହି ବୈଠକରେ କେଜ୍ରିୱାଲଙ୍କ ସମେତ ଅନେକ ନେତା ସାମିଲ ହେବାର ସମ୍ଭାବନା ରହିଛି । ଆପର ରାଜ୍ୟସଭା ସାଂସଦ ରାଘବ ଚଢା ଏନେଇ ଏକ ପ୍ରେସ୍ କନଫରେନ୍ସରେ ସୂଚନା ଦେଇଛନ୍ତି । ଆପର ପଲିଟିକାଲ ଆଫେୟାର୍ସ କମିଟି ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।
ଆସନ୍ତା ୧୭ ଓ ୧୮ ତାରିଖରେ ବେଙ୍ଗାଲୁରୁଠାରେ ଏହି ବୈଠକ ଅନୁଷ୍ଠିତ ହେବ । ଏହି ଅବସରରେ କେଜ୍ରିୱାଲଙ୍କ ସମେତ ଭଗୱନ୍ତ ମାନ ଓ ସଞ୍ଜୟ ସିଂହ ସୋମବାର ବେଙ୍ଗାଲୁରୁ ଗସ୍ତ କରିବେ । ଏହି ବୈଠକରେ ଏନଡିଏ ବିରୋଧରେ ବିପକ୍ଷ ଦଳମାନେ ଏକତ୍ରିତ ହୋଇ ରଣନୀତି ପ୍ରସ୍ତୁତ କରିବେ । ନିକଟରେ ପାଟନାରେ ଅନୁଷ୍ଠିତ ହୋଇଥିବା ମହାବୈଠକରେ ୧୫ଟି ଦଳର ୧୭ ଜଣ ନେତା ସାମିଲ ହୋଇଥିଲେ । ତେଣୁ କଂଗ୍ରେସ-ଆପ ଯଦି ଏକ ହୁଅନ୍ତି ତେବେ ବିରୋଧୀ ମହାମେଣ୍ଟ ପାଇଁ ଏହା ନିଶ୍ଚିତ ଭାବେ ଏକ ଖୁସି ଖବର । କାରଣ ଏହି ଦୁଇ ଦଳ ଏକ ହେଲେ ବିଜେପିର ବିପଦ ବଢ଼ିବାର ସମ୍ଭାବନା ରହିଛି ।