fbpx

ଗର୍ଭାବସ୍ଥାରେ ମହିଳାମାନେ ମୋବାଇଲ ବ୍ୟବହାର କରିବା ଗର୍ଭସ୍ଥ ଶିଶୁ ପାଇଁ ବିପଦ: ଶିଶୁଟିର DNA ନଷ୍ଟ ହୋଇପାରେ

ନୂଆଦିଲ୍ଲୀ: ମାତୃତ୍ୱର ଅଧିକାରିଣୀ ହେବା ପ୍ରତ୍ୟେକ ନାରୀଙ୍କ ପାଇଁ ଏକ ସୁନ୍ଦର ଅନୁଭବ । ଗୋଟିଏ ଶିଶୁକୁ ଜନ୍ମ ଦେବା ପାଇଁ ଜଣେ ମା’ କେତେ ଯେ କଷ୍ଟ ସହିଥାଏ ତାହା ବର୍ଣ୍ଣନା କରିବା ନିହାତି କଷ୍ଟକର ବ୍ୟାପାର । ତେବେ ଗର୍ଭାବସ୍ଥାରେ ମହିଳାଙ୍କୁ ଅନେକ ଦିଗ ପ୍ରତି ସତର୍କ ରହିବାକୁ ପଡ଼ିଥାଏ । ନଚେତ୍ ଏହାର କୁପ୍ରଭାବ ଗର୍ଭସ୍ଥ ଶିଶୁ ଉପରେ ପଡ଼ିଥାଏ । ବିଶେଷ କରି ଗର୍ଭବତୀ ମହିଳାମାନେ ଗର୍ଭଧାରଣ ସମୟରେ ମୋବାଇଲ ଫୋନ୍ ଠାରୁ ଦୂରଇ ରହିବା ଉଚିତ୍ ।

ୟେଲ ସ୍କୁଲ ଅଫ୍ ମେଡିସିନ ପକ୍ଷରୁ କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି, ଗର୍ଭାବସ୍ଥାରେ ଅଧିକ ସମୟ ଧରି ମୋବାଇଲ ଫୋନ୍ ବ୍ୟବହାର କରିବା ଫଳରେ ତାହା ଗର୍ଭସ୍ଥ ଶିଶୁ ଉପରେ କୁପ୍ରଭାବ ପକାଇଥାଏ । ଏହା ଶିଶୁର ମାନସିକ ବିକାଶ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିବା ସହିତ ଜନ୍ମ ପରେ ମଧ୍ୟ ଶିଶୁଠାରେ ଅନେକ ଅସୁବିଧା ଦେଖିବାକୁ ମିଳିଥାଏ । ମାଆ ଅଧିକ ସମୟ ଧରି ମୋବାଇଲ ବ୍ୟବହାର କରିବା ଫଳରେ ଶିଶୁଟି ଜନ୍ମ ପରେ ଛୋଟ ବୟସରୁ ହାଇପର ଆକ୍ଟିଭିଟିର ସମ୍ମୁଖୀନ ହୋଇଥାଏ ।

ଯଦି ମାଆମାନେ ଗର୍ଭାବସ୍ଥାରେ ଅଧିକ ସମୟ ଧରି ମୋବାଇଲ ବ୍ୟବହାର କରନ୍ତି ତେବେ ଅନ୍ୟ ଶିଶୁଙ୍କ ତୁଳନାରେ ସେମାନଙ୍କର ଶିଶୁ ଅଧିକ ଜିଦଖୋର ଓ ରାଗି ହୋଇଥାନ୍ତି । ଏଭଳି ସ୍ଥିତିରେ ମୋବାଇଲ ଫୋନରୁ ବାହାରୁଥିବା ଇଲେକ୍ଟ୍ରୋ ମାଗ୍ନେଟିକ ରେଡିଏସନ ଗର୍ଭସ୍ଥ ଶିଶୁର ଡିଏନଏକୁ ନଷ୍ଟ କରିଦେଇପାରେ । ଏଥିସହିତ ମାଆମାନେ ଅଧିକ ସମୟ ଧରି ମୋବାଇଲ ବ୍ୟବହାର କରିବା ଫଳରେ ଶିଶୁଙ୍କ ଠାରେ ବିଭିନ୍ନ ପ୍ରକାରର ଶାରୀରିକ ସମସ୍ୟା ଦେଖାଦେଇଥାଏ ବୋଲି ଡେନମାର୍କରେ କରାଯାଇଥିବା ଏକ ରିସର୍ଚ୍ଚରୁ ଜଣାପଡ଼ିଛି । ତେଣୁ ମହିଳାମାନେ ରାତିରେ ଶୋଇବା ସମୟରେ ତକିଆ ତଳେ ମୋବାଇଲ ରଖିବା ଅନୁଚିତ । ଏଥିସହିତ ଗର୍ଭାବସ୍ଥାରେ ଅଧିକ ସମୟ ଧରି ସୋସିଆଲ ମିଡ଼ିଆର ବ୍ୟବହାର ଠାରୁ ଦୂରେଇ ରହିବା ଭଲ ।

Get real time updates directly on you device, subscribe now.