fbpx

ଅତ୍ୟଧିକ ବ୍ୟାୟାମ କରୁଥିଲେ ସାବଧାନ ! ଶରୀର ପାଇଁ ହୋଇପାରେ କ୍ଷତିକାରକ

AAKASH

ଦୈନନ୍ଦିନ ଅତ୍ୟଧିକ ବ୍ୟାୟାମ, ପରିଶ୍ରମ କରିବା, ବେଶି ସମୟ ଧରି ଅତି ବେଗରେ ଚାଲିବା, ଦୌଡ଼ିବା, ସାମର୍ଥ୍ୟଠାରୁ ଅଧିକ ଭାରୋତ୍ତୋଳନ ଦ୍ୱାରା ଶକ୍ତି ଅପଚୟ ହୋଇଥାଏ। ଏହାକୁ ବ୍ୟାୟାମର ‘ଅତି ଉପଯୋଗ’ କୁହାଯାଏ। ଏଥିପାଇଁ ଶରୀର ଦୁର୍ବଳ, କୃଶ, ଥକ୍କା ଲାଗିବା, ଶୁଷ୍କ, ଚର୍ମ କୁଞ୍ଚନ, ଶୋଷ ଲାଗିବା, ଶ୍ୱାସ, କାଶ, କଟିଶୂଳ, ରକ୍ତପିତ୍ତ, ଯକ୍ଷ୍ମା, ଶେଷରେ ହୃଦ୍‌ଘାତ ଓ ମସ୍ତିଷ୍କାଘାତ ବା ଷ୍ଟ୍ରୋକ୍‌ ହୋଇପାରେ।

ଯଦି ଆମେ ଦୈନିକ ବେଶି କ୍ୟାଲୋରୀର ଭୋଜନ କରିବା, ଅଳ୍ପ ପରିଶ୍ରମ କରିବା ଓ ଅଳ୍ପ ଚାଲିବା ଦ୍ୱାରା ଏହା ଚୟୋପୋଚୟନ ହୋଇ ଆମ ଶରୀରରେ କୁପ୍ରଭାବ ପକାଏ। ଏହାଦ୍ୱାରା ପାଚନ ଶକ୍ତି କମେ। ଶର୍କରା, ଚର୍ବି ସ୍ତର ଆସ୍ତେ ଆସ୍ତେ ବଢ଼େ। ଶରୀର ପ୍ରତି ଅଙ୍ଗକୁ ତଥା କୋଷକୁ ଖାଦ୍ୟ ଓ ଅମ୍ଳଜାନ ପହଞ୍ଚତ୍ପାରେ ନାହିଁ। ଫୁସ୍‌ଫୁସ୍‌ ବିବରଗୁଡ଼ିକର କାର୍ଯ୍ୟକାରିତା କମିଯିବାରୁ ଆସ୍ତେ ଆସ୍ତେ ବନ୍ଦ ହୋଇଯାଏ। ଶରୀର ଦୁର୍ବଳ ହୋଇପଡ଼େ।

ସେହିପରି ବ୍ୟାୟାମର ମିଥ୍ୟାଯୋଗରେ ଆଦୌ ବ୍ୟାୟାମ ନ କରିବା, ଘରେ ବସି ସ୍ବାଦିଷ୍ଟ ଆହାର ଭୋଜନ କରିବା, ସର୍ବଦା ଶୀତତାପ ନିୟନ୍ତ୍ରିତ କକ୍ଷରେ ରହି ଆରାମଦାୟକ ଜୀବନଶୈଳୀ ଆପଣେଇବା ଦ୍ୱାରା ଅନେକ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ଏଥିଯୋଗୁ ହୃଦ୍‌ରୋଗ, ଶିରା, ଧମନୀ ଓ ଯକୃତ୍‌ (ଲିଭର)ରେ ଚର୍ବି ଜମାଟ ବାନ୍ଧିବା, ଶରୀରରେ କୋଲେଷ୍ଟରଲ ବୃଦ୍ଧି, ଉଚ୍ଚ ରକ୍ତଚାପ, ମଧୁମେହ ବା ଡାଇବେଟିସ୍‌, ପୃଥୁଳତା, ବାତବ୍ୟାଧି ଏବଂ ଧମନୀ କାନ୍ଥ ଶକ୍ତ ହୋଇ ବିଭିନ୍ନ ରୋଗ ଦେଖାଯାଏ।

ପୁରାଣ ଶାସ୍ତ୍ରରେ କୁହାଯାଇଛି ଯେ, ସନ୍ତାନପ୍ରାପ୍ତି ନିମନ୍ତେ ବୈବାହିକ ଜୀବନରେ ସ୍ତ୍ରୀ ସହବାସ କରିବା ଉଚିତ। ଅତ୍ୟଧିକ ସହବାସ ଦ୍ୱାରା ବୀର୍ଯ୍ୟପାତ ହୋଇ ଶରୀର ଦୁର୍ବଳ ହୋଇଯାଏ। କାରଣ ବୀର୍ଯ୍ୟ ହିଁ ବଳ ଓ ତେଜ ଅଟେ। ଏହାକୁ ଧାରଣରେ ଜୀବନ ଓ କ୍ଷୟରେ ମୃତ୍ୟୁର ଆଶଙ୍କା ରହିଛି। ସହବାସ ତିଥି, ବାର, ସମୟ ଇତ୍ୟାଦି ବିବେଚନା କରି କରିବା ଉଚିତ। ମାତ୍ର ବୈଜ୍ଞାନିକମାନେ ଗବେଷଣା କରି ଜାଣିପାରିଛନ୍ତି ଯେ, ଯେଉଁ ପୁରୁଷମାନେ ସହବାସ କମ୍‌ କରନ୍ତି ସେମାନଙ୍କଠାରେ ପ୍ରୋଷ୍ଟେଟ କ୍ୟାନ୍‌ସର ଅଧିକ ହେବାର ଆଶଙ୍କା ରହିଛି। ତେଣୁ ଚିକିତ୍ସକଙ୍କ ପରାମର୍ଶ ଅନୁସାରେ ନିଜର ସାମର୍ଥ୍ୟକୁ ବିବେଚନା କରି କରିବା ଉଚିତ।

ସବୁବେଳେ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ। ଏକାଥରେ ପୁଳାଏ ଖାଦ୍ୟ ନ ଖାଇ ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ଅଳ୍ପ ଅଳ୍ପ ଖାଦ୍ୟ ଖାଇଲେ ଭଲ। ସେହିପରି ଷଢ଼ରସଯୁକ୍ତ ଖାଦ୍ୟ ଯଥା-ମଧୁର, ଅମ୍ଳ, ଲବଣ, କଟୁ, ତିକ୍ତ ଓ କଷାୟ- ଏଥିମଧ୍ୟରୁ କଷାୟ ପରେ ତିକ୍ତ, କଟୁ, ଲବଣ- ଏହିପରି ରସଗୁଡ଼ିକ ହଜମ ହେବାକୁ ବିଳମ୍ବ କରେ। ତେଣୁ ଲବଣ, ଅମ୍ଳ ଓ ମଧୁର ଖାଦ୍ୟ ବେଶି ଖାଇବା ଶରୀର ପାଇଁ ହାନିକାରକ।

ସୂର୍ଯ୍ୟଙ୍କର ସକାଳର କଅଁଳିଆ କିରଣ ଶରୀର ପକ୍ଷେ ହିତକର। ସକାଳ କିରଣରୁ ଭିଟାମିନ୍‌ ‘ଡି’ ମିଳିଥାଏ। ଏଣୁ ସମ୍ଭବତଃ ଜଣେ ଅତିକମ୍‌ରେ ଅଧ ଘଣ୍ଟାରୁ ଘଣ୍ଟେ ପ୍ରାତଃ ଭ୍ରମଣ କରିବା ଉଚିତ। ମଧ୍ୟାହ୍ନ କିରଣରେ ଅତି ବାଇଗଣି ରଶ୍ମି ଥିବାରୁ ଏହା ଚର୍ମ ପାଇଁ କ୍ଷତିକାରକ। ତେଣୁ ଏଥିରୁ ରକ୍ଷା ପାଇବା ପାଇଁ ସନ୍‌ସ୍କ୍ରିନ୍‌ ଲୋଶନ ଲଗାନ୍ତୁ ଏବଂ ଗ୍ଲୋଭ୍‌ସ ପିନ୍ଧନ୍ତୁ। ପ୍ରତିଦିନ କିଛି ସମୟ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସନ୍ତୁ। ଏଥିରେ ଥିବା ଭିଟାମିନ୍‌ ଶରୀରରେ ଅଭାବ ହେଲେ ଅସ୍ଥିସୁଶିରତା ବା ଅଷ୍ଟିଓପୋରୋସିସ୍‌ ଦେଖାଦେଇଥାଏ।

Get real time updates directly on you device, subscribe now.