fbpx

ରାଜ୍ୟ ସାଧାରଣ ସମ୍ପାଦକ ନାରାୟଣ ଜେନାଙ୍କୁ ଦଳରୁ ବହିଷ୍କାର କଲା PCC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ଦଳ ବିରୋଧୀ କାର୍ଯ୍ୟ କାରଣରୁ ରାଜ୍ୟ କଂଗ୍ରେସର ଜଣେ ନେତାଙ୍କୁ ଦଳରୁ ବହିଷ୍କାର କରାଯାଇଛି । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ଶୃଙ୍ଖଳା କମିଟି ସାଧାରଣ ସମ୍ପାଦକ ନାରାୟଣ ଜେନାଙ୍କୁ ଦଳରୁ ବହିଷ୍କାର କରିଛି । ଆଜି ସନ୍ଧ୍ୟାରେ ବସିଥିବା ପିସିସି ଶୃଙ୍ଖଳା କମିଟି ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଥିଲା । ନାରାୟଣଙ୍କୁ ବହିଷ୍କାର ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

ସୂଚନାଯୋଗ୍ୟ ଯେ, ଗତ ୧୫ ତାରିଖରେ ସମାନ ଅଭିଯୋଗରେ କଂଗ୍ରେସର ଦୁଇଜଣ ନେତାଙ୍କୁ ଦଳରୁ ସସପେଣ୍ଡ କରାଯାଇଥିଲା । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଚିରଞ୍ଜିବ ବିଶ୍ୱାଳଙ୍କୁ ଦଳରୁ ସସପେଣ୍ଡ କରାଯାଇଥିଲା । ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ତରଫରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ଶାସକ ବିଜେଡି ଓ ବିରୋଧୀ ବିଜେପି ସଜବାଜ ହେଉଥିବା ବେଳେ କଂଗ୍ରେସ ମଧ୍ୟ ପ୍ରୟାସ ଚଳାଇଛି । ପ୍ରତ୍ୟେକ ଦଳ ନିଜ ନିଜର ସଂଗଠଡ଼କୁ ସଜାଡ଼ିବା ସହିତ ନୂଆ ନେତାଙ୍କୁ ଦାୟିତ୍ୱ ଦେଉଛନ୍ତି । କଂଗ୍ରେସ ପକ୍ଷରୁ ମଧ୍ୟ କିଛି ନେତାଙ୍କୁ ନିଯୁକ୍ତି ଦିଆଯାଇଥିଲା । ତେବେ ମୋକିମ ଓ ଚିରଞ୍ଜୀବଙ୍କ ପରି ଦୁଇଜଣ ବରିଷ୍ଠ ନେତାଙ୍କୁ ନେଇ ଏବେ କଂଗ୍ରେସରେ ବିବାଦ ଦେଖାଦେଇଛି । ଆଗକୁ କଂଗ୍ରେସ ଏକଜୁଟ ହୋଇ ନିର୍ବାଚନ ମୈଦାନକୁ ଓହ୍ଲାଇବ ବୋଲି ଦଳର କିଛି ବରିଷ୍ଠ ନେତା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.