fbpx

ଚଳିତ ସପ୍ତାହରେ ଏସସିବିରେ କାର୍ଯ୍ୟକ୍ଷମ ହେବ ‘Milk Bank: କ୍ଷୀର ସଂଗ୍ରହ ଅଭିଯାନକୁ ସଫଳ କରାଇବେ ପ୍ରସୂତୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଟକ ସ୍ଥିତ ଏସସିବିରେ ବହୁ ପ୍ରତୀକ୍ଷିତ ମିଲ୍କ ବ୍ୟାଙ୍କ ବା ମା’ କ୍ଷୀର ଭଣ୍ଡାର ଚଳିତ ସପ୍ତାହରେ କାର୍ଯ୍ୟକ୍ଷମ ହେବ । ପାଖାପାଖି ଅଢ଼େଇ ବର୍ଷ ତଳେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅନୁସାନରେ ଏସସିବିରେ ଏକ ମିଲ୍କ ବ୍ୟାଙ୍କ ପ୍ରତିଷ୍ଠା ନେଇ ନିଷ୍ପତ୍ତି ହୋଇଥିଲା । ଗାଇନିକ୍ ବିଭାଗ ପରିସରରେ ଉକ୍ତ ମିଲ୍କ ବ୍ୟାଙ୍କ ରହିବ ଓ ତାହା ଶିଶୁ ରୋଗ ବିଭାଗ ଅଧିନରେ କାର୍ଯ୍ୟ କରିବ ।

ଏସସିବିରେ ମିଲ୍କ ବ୍ୟାଙ୍କ କାର୍ଯ୍ୟକ୍ଷମ ହେବା ଫଳରେ ମା’ କୋଳରୁ ଦୂରେଇ ରହି ଚିକିତ୍ସାଧୀନ ଥିବା ଦୁର୍ବଳ ନବଜାତକମାନେ ମା’ କ୍ଷୀର ସେବନ କରିବାର ସୁଯୋଗ ପାଇ ପାରିବେ । ନିଜର ମା’ କ୍ଷୀର ନ ପାଇଲେ ମଧ୍ୟ ଅନ୍ୟ ଜଣେ ମା’ଙ୍କଠାରୁ କ୍ଷୀର ପିଇବାର ସୌଭାଗ୍ୟ ଲାଭ କରିପାରିବେ ନବଜାତକ । ଫଳରେ ନବଜାତକ ସୁସ୍ଥ ଓ ସତେଜ ରହିପାରିବେ ବୋଲି ଶିଶୁ ରୋଗ ବିଭାଗ ପ୍ରଫେସର ସୂଚନା ଦେଇଛନ୍ତି ।

ବୈଜ୍ଞାନିକ ପ୍ରଣାଳୀରେ ପ୍ରସୂତୀଙ୍କ ଠାରୁ କ୍ଷୀର ସଂଗ୍ରହ କରି ତାହାକୁ ସଂରକ୍ଷିତ କରି ରଖାଯିବ । ସେଥିପାଇଁ କ୍ଷୀର ସଂଗ୍ରହ ପ୍ରକୋଷ୍ଠ, ଷ୍ଟୋର ରୁମ ଓ ପାଶ୍ଚରାଇଜେସନ ରୁମ୍ ତିଆରି ହେଉଛି । ସଂଗୃହୀତ କ୍ଷୀରକୁ ରଖିବା ପାଇଁ ଫ୍ରିଜର ଓ ଡିପ୍ ଫ୍ରିଜର ସୁବିଧା କରାଯାଇଛି । ଜଣେ ପ୍ରସୂତୀ କ୍ଷୀର ଦାନ କରିବା ପରେ ତାହା ସାଧାରଣ ତାପମାତ୍ରାରେ ବାହାରେ ୬-୮ ଘଣ୍ଟା ପର୍ଯ୍ୟନ୍ତ ରହିପାରିବ । କ୍ଷୀର ୨୪ ଘଣ୍ଟା ପର୍ଯ୍ୟନ୍ତ ରହିବା ପାଇଁ ଫ୍ରିଜରରେ ବ୍ୟବସ୍ଥା କରାଯାଇଛି । ମିଲ୍କ ବ୍ୟାଙ୍କରେ ମା’ କ୍ଷୀର ସଂଗ୍ରହ ଅଭିଯାନକୁ ଫଳପ୍ରଦ କରିବାକୁ ହେଲେ ପ୍ରସୂତୀଙ୍କୁ ସଚେତନ କରାଇବା ସବୁଠୁ ବଡ଼ କାର୍ଯ୍ୟ ବୋଲି ଡାକ୍ତର କରିଛନ୍ତି ।

Get real time updates directly on you device, subscribe now.