fbpx

ଆମ ଆଦମୀ ପାର୍ଟି ସାଂସଦ ସସପେଣ୍ଡ: କାଗଜ ଚିରି ଫୋପାଡ଼ିବା ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ଆମ ଆଦମୀ ପାର୍ଟି (ଆପ)ର ଲୋକସଭା ସାଂସଦ ସୁଶୀଲ କୁମାର ରିଙ୍କୁ ସସପେଣ୍ଡ ହୋଇଛନ୍ତି । ଗୃହକାର୍ଯ୍ୟ ଚାଲିଥିବା ସମୟରେ କାଗଜ ଚିରି ଫିଙ୍ଗିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ଆସିଥିଲା । ସୁଶୀଲ କାଗଜ ଚିରି ଫୋପାଡ଼ିଥିବାରୁ ଏହା ଏକ ଅପମାନଜନକ ଘଟଣା । ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ସଂସଦୀୟ କାର୍ଯ୍ୟ ମନ୍ତ୍ରୀ କହିଛନ୍ତି ।

ସୂଚନା ମୁତାବକ, ଆପର ସାଂସଦ ସୁଶୀଲଙ୍କୁ ଲୋକସଭାର ଅବଶିଷ୍ଟ ଅଧିବେଶନରୁ ନିଲମ୍ବିତ କରିଦିଆଯାଇଛି । ସେ ଏହି ସମସ୍ତ ଅଧିବେଶନରେ ଅଂଶଗ୍ରହଣ କରିପାରିବେ ନାହିଁ । ଦିଲ୍ଲୀ ସେବା ବିଲର ଏକ କପିକୁ ସୁଶୀଲ ଚିରି ଦେଇଥିବା ଅଭିଯୋଗ ହୋଇଥିଲା । ସୁଶୀଲଙ୍କୁ ନିଲମ୍ବିତ କରିବାକୁ ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହଲାଦ ଯୋଶୀ ପ୍ରସ୍ତାବ ଆଗତ କରିଥିଲେ । ତେବେ ବାଚସ୍ପତି ସୁଶୀଲଙ୍କୁ ବାକି ଥିବା ଅନ୍ୟ ଅଧିବେଶନରୁ ନିଲମ୍ବିତ କରିଦେଇଛନ୍ତି ।

ସୁଶୀଲ ପଞ୍ଜାବର ଜଳନ୍ଧର ଲୋକସଭା ଆସନରୁ ଆପ ଟିକେଟରେ ବିଜୟୀ ହୋଇଥିଲେ । ପ୍ରଥମେ ସେ କଂଗ୍ରେସରେ ଥିଲେ, ମାତ୍ର ଦଳ ବିରୋଧୀ କାର୍ଯ୍ୟ କାରଣରୁ ଗତ ଏପ୍ରିଲ ମାସ ୫ ତାରିଖରେ କଂଗ୍ରେସ ତାଙ୍କୁ ଦଳରୁ ବହିଷ୍କାର କରିଦେଇଥିଲା । ଏହା ପରଦିନ ସୁଶୀଲ ଆପରେ ସାମିଲ ହୋଇଥିଲେ ଓ ତାଙ୍କୁ ଦଳ ଟିକେଟ ପ୍ରଦାନ କରିଥିଲା । ମେ ୧୦ରେ ଜଳନ୍ଧର ଲୋକସଭା ଆସନ ପାଇଁ ଉପନିର୍ବାଚନ ହୋଇଥିଲା । ଏହାପରେ ୧୩ ତାରିଖରେ ଫଳାଫଳ ଘୋଷଣା କରାଯାଇଥିଲା । ମାତ୍ର ୩୮ ଦିନ ମଧ୍ୟରେ ସୁଶୀଲ ସାଂସଦ ହୋଇପାରିଥିଲେ । ଏହା ପୂର୍ବରୁ ଗତ ମାସ ୨୪ ତାରିଖରେ ଆପର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ମୌସୁମୀ ଅଧିବେଶନରୁ ନିଲମ୍ବିତ ହୋଇଥିଲେ ।

Get real time updates directly on you device, subscribe now.