ଭାରତରେ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରପତି-ରାଜ୍ୟପାଳଙ୍କ ପରି ଶୀର୍ଷ ନେତାମାନେ କିପରି ଗିରଫ ହୋଇ ପାରିବେ: ଏନେଇ କ’ଣ ରହିଛି ଆଇନ
ନୂଆଦିଲ୍ଲୀ: ଭାରତରେ ବିଭିନ୍ନ ଅଭିଯୋଗ ଆଧାରରେ ଅନେକ ରାଜନୈତିକ ବ୍ୟକ୍ତିବିଶେଷ ଗିରଫ ହୋଇଥାନ୍ତି । ଅନେକ ସମୟରେ ଦେଶ ବା ରାଜ୍ୟର କିଛି ଟପ ନେତାଙ୍କୁ କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ପଚରାଉଚରା କରାଯାଇଥାଏ । ଏପରି ସ୍ଥିତିରେ ଉକ୍ତ ନେତାଙ୍କୁ ଗିରଫ କରାଯିବା ନେଇ ଜନସାଧାରଣଙ୍କ ମଧ୍ୟରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ । ଗତ ଏପ୍ରିଲ ମାସ ୧୬ ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସିବିଆଇ ୯ ଘଣ୍ଟା ଧରି ପଚରାଉଚରା କରିଥିଲା । ସେ ସମୟରେ କେଜ୍ରିୱାଲଙ୍କୁ ସିବିଆଇ ଗିରଫ କରିପାରେ ବୋଲି ସାରା ଦେଶରେ ଚର୍ଚ୍ଚା ଜୋର ଧରିଥିଲା । ମାତ୍ର ସେପରି କିଛି ହୋଇନଥିଲା ।
ଦେଶର ପ୍ରଥମ ସିଟିଂ ମୁଖ୍ୟମନ୍ତ୍ରୀ ଭାବେ ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା ଗିରଫ ହୋଇଥିଲେ । ଅନେକ ସମୟରେ ବିଭିନ୍ନ ରାଜ୍ୟର ପୂର୍ବତନ ମନ୍ତ୍ରୀ, ମନ୍ତ୍ରୀ, ବିଧାୟକମାନେ ମଧ୍ୟ ଗିରଫ ହେଉଥିବା ଦେଖାଯାଉଛି । ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓଙ୍କୁ ୩ ବର୍ଷର ଜେଲଦଣ୍ଡାଦେଶ ହୋଇଥିଲା । ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ବିରୋଧରେ ମଧ୍ୟ ୧୯୭୫ରେ କୋର୍ଟରେ ମାମଲା ଚାଲିଥିଲା ।
ତେବେ ଏଠାରେ ପ୍ରଶ୍ନ ଉଠେ, ଗୋଟିଏ ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କୁ କ’ଣ ଏକ କେନ୍ଦ୍ରୀୟ ଏଜେନ୍ସି ସିଧାସଳଖ ଗିରଫ କରିପାରିବ? ସେହିପରି ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ରାଷ୍ଟ୍ରପତିଙ୍କ ଗିରଫଦାରୀ ପାଇଁ ଭାରତରେ କ’ଣ ନିୟମ ରହିଛି । କୋଡ୍ ଅଫ୍ ସିଭିଲ ପ୍ରୋସିଜରର ଧାରା ୧୩୫ ଅନୁଯାୟୀ, ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ଲୋକସଭା ଓ ରାଜ୍ୟସଭା ସଦସ୍ୟ, ମୁଖ୍ୟମନ୍ତ୍ରୀ, ବିଧାନସଭା ଓ ବିଧାନ ପରିଷଦର ସଦସ୍ୟଙ୍କୁ ଗିରଫଦାରୀ ନେଇ ଛାଡ଼ କରାଯାଇଛି । ଏହି ଛାଡ଼ କେବଳ ସିଭିଲ ମାମଲା କ୍ଷେତ୍ରରେ ଲାଗୁ ହୋଇଥିବା ବେଳେ କ୍ରିମିକାଲ ମାମଲାରେ ହୋଇନଥାଏ । ଏହି ଧାରା ଅନୁଯାୟୀ, ସଂସଦ ବା ବିଧାନସଭା ବା ବିଧାନ ପରିଷଦର କୌଣସି ସଦସ୍ୟଙ୍କୁ ଗିରଫ କରିବା ବା ହେଫାଜତକୁ ନେବାକୁ ହେଲେ ସଦନର ଅଧ୍ୟକ୍ଷଙ୍କ ଠାରୁ ଅନୁମତି ନେବା ଜରୁରୀ । ଅଧିବେଶନର ୪୦ ଦିନ ପୂର୍ବରୁ, ଅଧିବେଶନ ସମୟରେ ଓ ଅଧିବେଶନର ୪୦ ଦିନ ପରେ କୌଣସି ସଦସ୍ୟଙ୍କୁ ଗିରଫ କରାଯାଇ ପାରିବ ନାହିଁ କି ହେପାଜତକୁ ନିଆଯାଇ ପାରିବ । ନାହିଁ ।
କେବଳ ଏତିକି ନୁହେଁ, ସଂସଦ / ବିଧାନସଭା / ବିଧାନ ପରିଷଦ ପରିସରରେ କୌଣସି ସଦସ୍ୟଙ୍କୁ ଗିରଫ କରାଯାଇ ପାରବ ନାହିଁ କି ହେପାଜତକୁ ନିଆଯାଇ ପାରିବ ନାହିଁ । କାରଣ ସେ କ୍ଷେତ୍ରରେ ଅଧ୍ୟକ୍ଷଙ୍କ ଆଦେଶ ଚାଲିଥାଏ । ପ୍ରଧାନମନ୍ତ୍ରୀ ସଂସଦର ଓ ମୁଖ୍ୟମନ୍ତ୍ରୀ ବିଧାନସଭା ବା ବିଧାନ ପରିଷଦର ସଦସ୍ୟ ହୋଇଥାନ୍ତି । ତେଣୁ ସେମାନଙ୍କ କ୍ଷେତ୍ରରେ ମଧ୍ୟ ଏହି ନିୟମ ଲାଗୁ ହୋଇଥାଏ । କ୍ରିମିନାଲ ମାମଲାରେ ସଂସଦ, ବିଧାନସଭା, ବିଧାନ ପରିଷଦର ସଦସ୍ୟଙ୍କୁ ଗିରଫ କରାଯାଇ ପାରିବ । ମାତ୍ର ଏ ବାବଦରେ ଅଧ୍ୟକ୍ଷଙ୍କୁ ଅବଗତ କରାଇବାକୁ ପଡ଼ିବ ।
ସେହିପରି ସମ୍ବିଧାନର ଅନୁଚ୍ଛେଦ ୩୬୧ ଅନୁଯାୟୀ, ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ମଧ୍ୟ ଛାଡ଼ ଦିଆଯାଇଛି । ରାଷ୍ଟ୍ରପତି ଓ ରାଜ୍ୟପାଳ ନିଜ ପଦରେ ରହିଥିବା ସମୟରେ ସେମାନଙ୍କୁ ଗିରଫ କରାଯାଇ ପାରିବ ନାହିଁ କି ହେପାଜତକୁ ନିଆଯାଇ ପାରିବ ନାହିଁ । ଏଥିସହିତ ସେମାନଙ୍କ ବିରୋଧରେ କୌଣସି ଅଦାଲତ କିଛି ବି ଆଦେଶ ଜାରି କରିପାରିବେ ନାହିଁ । ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ସିଭିଲ ଓ କ୍ରିମିନାଲ ଉଭୟ ମାମଲାରେ ଛାଡ଼ ଦିଆଯାଇଛି । ମାତ୍ର ପଦରୁ ହଟିବା ପରେ ସେମାନଙ୍କୁ ଗିରଫ କରାଯିବା ସହିତ ହେପାଜତକୁ ନିଆଯାଇ ପାରିବ ବୋଲି ନିୟମ ରହିଛି ।