fbpx

ସ୍ତ୍ରୀ ଯଦି ସ୍ୱାମୀଙ୍କୁ କଳା କହେ, ତେବେ ଏହା ହୋଇପାରେ ଛାଡ଼ପତ୍ରର ଆଧାର, ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି

ବେଙ୍ଗାଲୁରୁ: ଯଦି ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ କଳା ବୋଲି କହି ଅପମାନିତ କରେ, ତେବେ ଏହା ନିଷ୍ଠୁରତା ଆଧାରରେ ଛାଡ଼ପତ୍ରକୁ ମଞ୍ଜୁରୀ ଦିଆଯିବ । କର୍ଣ୍ଣାଟକ ହାଇକୋର୍ଟ ଏପରି ଏକ ଟିପ୍ପଣୀକୁ କେନ୍ଦ୍ର କରି ଜଣେ ଦମ୍ପତ୍ତିଙ୍କ ଛାଡ଼ପତ୍ରକୁ ମଞ୍ଜୁର କରିଛନ୍ତି । କୋର୍ଟ କହିଛନ୍ତି ଯେ ‘ରେକର୍ଡରେ ଥିବା ସମସ୍ତ ତଥ୍ୟ ଅନୁସନ୍ଧାନ କରିବା ପରେ କୋର୍ଟ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି ଯେ, ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ କଳା ବୋଲି କହି ଅପମାନିତ କରୁଥିଲେ ଏବଂ ସେଥିପାଇଁ ସେ ଅନ୍ୟ କୌଣସି କାରଣ ବିନା ତାଙ୍କଠାରୁ ଅଲଗା ରହୁଥିଲେ।’

ହାଇକୋର୍ଟର ଜଷ୍ଟିସ୍ ଆଲୋକ ଆରାଡେ ଏବଂ ଜଷ୍ଟିସ୍ ଅନନ୍ତ ରାମନାଥ ହେଗଡେଙ୍କ ଏକ ଡିଭିଜନ୍ ବେଞ୍ଚ କହିଛନ୍ତି ଯେ, ଏହାକୁ ଘୋଡାଇବା ପାଇଁ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ ଅନୈତିକ ସମ୍ପର୍କ ରଖିଥିବା ଅଭିଯୋଗ କରିଛନ୍ତି। ଏହା ପରେ ହିନ୍ଦୁ ବିବାହ ଆଇନର ଧାରା ୧୩ (i) (ଏ) ଅନୁଯାୟୀ ହାଇକୋର୍ଟ ଏହି ଦମ୍ପତିଙ୍କୁ ଛାଡପତ୍ର ପ୍ରଦାନ କରିଥିଲେ। ଖବର ଅନୁଯାୟୀ, ଏହି ଦମ୍ପତି ୨୦୦୭ ମସିହାରେ ବିବାହ କରିଥିଲେ ଏବଂ ଉଭୟଙ୍କର ଗୋଟିଏ ଝିଅ ଅଛି। ୨୦୧୨ ମସିହାରେ ସ୍ୱାମୀ ବାଙ୍ଗାଲୋରର ଏକ ପରିବାର କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ।

ହାଇକୋର୍ଟ କହିଛନ୍ତି ଯେ, ତାଙ୍କ ଶରୀରର ରଙ୍ଗ ହେତୁ ସ୍ତ୍ରୀ ତାଙ୍କୁ ଅନେକ ସମୟରେ ଅପମାନିତ କରୁଥିଲେ, କିନ୍ତୁ ଝିଅ ହେତୁ ସ୍ୱାମୀ ତାଙ୍କ ଅପମାନକୁ ସହ୍ୟ କରିଆସୁଥିଲେ। ମହିଳା ଜଣକ ଆଇପିସିର ଧାରା ୪୯୮ଏ ଅନୁଯାୟୀ, ତାଙ୍କ ସ୍ୱାମୀ ଏବଂ ଶାଶୁଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରିଥିଲେ। ଘରୋଇ ହିଂସା ଅଧିନିୟମ ଅନୁଯାୟୀ, ଏକ ମାମଲା ରୁଜୁ କରିଥିଲେ ଏବଂ ତାଙ୍କ ଶିଶୁ କନ୍ୟା ସହିତ ତାଙ୍କ ପିତାମାତାଙ୍କ ସହ ରହୁଥିଲେ। ତେବେ ମହିଳା ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ, ସ୍ୱାମୀ ଏବଂ ଶାଶୁଘର ଲୋକେ ତାଙ୍କ ସହ ଅସଦାଚରଣ କରିଛନ୍ତି।

 

Get real time updates directly on you device, subscribe now.